Advertisment

ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।

author-image
Pramod Behera
ଅଦ୍ୟତନ ହୋଇଛି
undefined

A growing web of fake certificates 6 names came

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ ଏବେ କନ୍ଧମାଳରେ ବି ଦେଖିବାକୁ ମିଳିଛି ଜାଲି ସାର୍ଟିଫିକେଟ୍‌ର ଜାଲ। ନକଲି ସାର୍ଟିଫିକେଟ୍‌ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ ଜଣଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛନ୍ତି ଫୁଲବାଣୀ ଡାକମଣ୍ଡଳର ଅଧୀକ୍ଷକ।

Advertisment

ପୂର୍ବରୁ ବଲାଙ୍ଗିର ରେ ନକଲି ମାଟ୍ରିକ୍‌ ସାର୍ଟିଫିକେଟର ଫ୍ୟାକ୍ଟ୍ରି ଖୋଲିଥିବା ମାଷ୍ଟର୍‌ ମାଇଣ୍ଡ୍‌ ମନୋଜ ମିଶ୍ର ସହ ୧୯ ଜଣ ଗିରଫ ହୋଇ ଜେଲ୍‌ରେ ଥିବାବେଳେ ଏଇଠୁ ହିଁ ସାରା ରାଜ୍ୟକୁ ଯୋଗାଣର ଚେର ଲମ୍ବିଥିବା କୁହାଯାଉଛି। ଅପରପକ୍ଷେ ଜାଲ୍‌ ସାର୍ଟିଫିକେଟ୍ ବେପାରରେ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ଆଜି ବିଧାନସଭାରେ ବର୍ଷିଛନ୍ତି ବିରୋଧୀ।

ଫୁଲବାଣୀ ଡାକ ବିଭାଗରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ବେଳେ ଏଠି ବାହାରିଲା ଜାଲ ମାଟ୍ରିକ ସାର୍ଟିଫିକେଟ୍। ସେଇ ସମାନ ଘଟଣା ବାହାର ରାଜ୍ୟର ସାର୍ଟିଫିକେଟ୍। ମାଟ୍ରିକରେ ଆଖି ଖୋସିହେଇଯିବା ଭଳି ନମ୍ବର।

Advertisment

ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ ୮୫ଟି ଶାଖା ପୋଷ୍ଟ୍‌ମାଷ୍ଟର୍‌ ଓ ସହକାରୀ ପୋଷ୍ଟ୍‌ମାଷ୍ଟର୍‌ ପଦବୀ ପାଇଁ ନିଯୁକ୍ତି ଲାଗି ସାର୍ଟିଫିକେଟ୍ ଯାଞ୍ଚ ବେଳେ ମୋଟ ୬ ଜଣ ପ୍ରାର୍ଥୀ ଏମିତି ଜାଲ ପ୍ରମାଣପତ୍ର ଦାଖଲ କରିଥିବା ନଜରକୁ ଆସିଛି। ଫଳରେ ଏମାନଙ୍କ ନାଁରେ ଫୁଲବାଣୀ ଟାଉନ୍ ଥାନାରେ ଡାକ ବିଭାଗର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଏପଟେ ଖୋଲିବାରେ ଲାଗିଛି ବଲାଙ୍ଗିର ନକଲି ସାର୍ଟିଫିକେଟ୍ ସିଣ୍ଡିକେଟ୍‌ର ଗୋଟିକ ପରେ ଗୋଟିଏ ଗୁମର। ଓଟିଭି ହାତରେ ଲାଗିଛି ନକଲି ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବାକୁ ଚେଷ୍ଟା କରିଥିବା କିଛି ପ୍ରାର୍ଥୀଙ୍କ ସଂପର୍କରେ ଏକ୍ସକ୍ଲୁସିଭ୍ ତଥ୍ୟ।

ସୂଚନାମୁତାବକ ଜାଲ୍‌ ସାର୍ଟିଫିକେଟ୍ ଦେଇ ଜେଲ୍ ଯାଇଛନ୍ତି ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଏବଂ ପୋଲିସର ରାଜସାକ୍ଷୀ ବନିଥିବା ରୀତା ନାଗ। ଏମାନେ ସମସ୍ତେ ବିଭିନ୍ନ ବର୍ଷରେ ବଲାଙ୍ଗିର ଧୂମାଭଟା ହାଇସ୍କୁଲରେ ତୃତୀୟ ଶ୍ରେଣୀରେ ପାସ କରିଥିବା ନେଇ ସୂଚନା ଦେଇଛନ୍ତି ଧୂମାଭଟା ହାଇସ୍କୁଲର ପ୍ରଧାନ ଶିକ୍ଷକ।

ଯେହେତୁ ମାଟ୍ରିକ ମାର୍କ ଆଧାର ହିଁ ଏକମାତ୍ର ଚୟନର ମାପଦଣ୍ଡ ଥିଲା, ସେଥିପାଇଁ ଏମାନେ ୯୦ ପ୍ରତିଶତରୁ ଅଧିକ ମାର୍କ ଥିବା ନକଲି ସାର୍ଟିଫିକେଟ୍‌ ଯୋଗାଡ଼ ଲାଗି ବଲାଙ୍ଗିର ମନୋଜ ମିଶ୍ରର ନକଲି ସାର୍ଟିଫିକେଟ୍ ଫ୍ୟାକ୍ଟ୍ରି- ରିଲାଏନ୍ସ ଏଜୁକେସନ୍ କଂପ୍ଲେକ୍ସର ସାହାରା ନେଇଥିଲେ।

ସେପଟେ ଘଟଣାରେ ମନୋଜ ଓ କମ୍ପ୍ୟୁଟର ଟିଚର ଆଲୋକ ଉଦ୍‌ଗାତା ସହ ଏପର୍ଯ୍ୟନ୍ତ ମୋଟ ୧୯ ଜଣକୁ ଗିରଫ କରି ତନାଘନା ଜାରି ରଖିଛି ବଲାଙ୍ଗିର ପୋଲିସ୍। ବାହାର ରାଜ୍ୟର ୟୁନିଭର୍ସିଟି ଓ କଲେଜଗୁଡିକର କର୍ମଚାରୀ ଓ ଅଧିକାରୀଙ୍କୁ ହାତକରି ମନୋଜ ଏଇ ଫେକ୍‌ ସାର୍ଟିଫିକେଟ୍ ରାକେଟ୍ ଚଳାଇଥିବା ନେଇ ପୋଲିସ ସନ୍ଦେହ କରୁଥିବାରୁ ଏହାର ଚେର ଖୋଜିବାକୁ ଏକ ସ୍ୱତନ୍ତ୍ର ଟିମ୍ ବାହାର ରାଜ୍ୟକୁ ଯିବ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି।

ଏପଟେ ଆଜି ବିଧାନସଭାରେ ବି ଉଠିଛି ଜାଲ୍‌ ସାର୍ଟିଫିକେଟ୍ ପ୍ରସଙ୍ଗ। ମାମଲାରେ ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇ ଫେକ୍ ସାର୍ଟିଫିକେଟ୍ ମାମଲାରେ ବିଜେଡି ଆଇଟି ସେଲ୍‌ର ସଦସ୍ୟ ଗିରଫ ହୋଇଥିବାରୁ ରାକେଟ୍ ପଛରେ ବିଜେଡିର ଲିଙ୍କ୍‌ ଥିବା ଅଭିଯୋଗ କରିଛନ୍ତି।

(କେନ୍ଦ୍ରାପଡ଼ାରୁ ମନୋଜ ନାୟକ, ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର, ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ)

Fake Certificate Fake Certificate Racket
Advertisment
Advertisment