Advertisment

ATM Loot In Bhubaneswar: ରାତିରେ ତାଡ଼ି ନେଇଥିଲେ ଏଟିଏମ୍‌... ୬ ଜଣଙ୍କୁ ମାସକ ପରେ ଧରିଲା ପୋଲିସ୍‌

ଏଟିଏମ୍‌ ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍‌ ପୋଲିସ୍‌ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୋଲିସ୍‌ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଧରି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ଦେବୀପାଖରେ ପହଞ୍ଚିଥିଲା ପୋଲିସ୍‌।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ବିଭିନ୍ନ ସ୍ଥାନରୁ ଏଟିଏମ୍‌ ତାଡି ଟଙ୍କା ନେଇଯାଉଥିଲେ । ହେଲେ ରାଜଧାନୀ ଭୁବନେଶ୍ୱରରୁ ଏଟିଏମ୍‌ ତାଡି ଟଙ୍କା ନେଇଯିବା ପରେ ପୋଲିସର ଅକଲ ଗୁଡୁମ୍ ହୋଇଯାଇଥିଲା । ରାତିରେ ମୁହଁରେ ମୁଖା ବାନ୍ଧି ଲୁଟେରାମାନେ ଲୁଟ୍ କରିଥିଲେ । ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। ପ୍ରାୟ ମାସେ ପରେ ଏଟିଏମ୍‌ ଲୁଟ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ୬ ଜଣଙ୍କୁ ଧରିବାରେ ସଫଳ ହୋଇଛି କମିଶନ୍‌ରେଟ୍‌ ପୋଲିସ୍‌। ହେଲେ ଦୁଇ ବଙ୍ଗୀୟ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି। ସେମାନଙ୍କୁ ଧରିବା ପାଇଁ ଜାଲ୍‌ ବିଛାଉଛି ପୋଲିସ୍‌।

Advertisment

ଏଟିଏମ୍‌ ଲୁଟ୍‌ର ମାଷ୍ଟରମାଇଣ୍ଡ ହେଉଛି ଦେବୀ ପ୍ରସାଦ ମାଲିଆ ଓରଫ୍‌ ବିକି। ସେ ଦୁଇଟି ହତ୍ୟା ମାମଲାରେ ଜେଲ୍‌ ଯାଇଥିଲା। ଝାରପଡ଼ା ଜେଲ୍‌ରେ ରହିଥିଲା। ସେଇଠି ପଶ୍ଚିମବଙ୍ଗର ରାଜୁ ଓରଫ ସେକ୍‌ ମିଜାମୁଲ୍‌ ରହମାନ୍‌ ଓ ରୁସ୍ତମଙ୍କ ସହିତ ଦେବୀର ଦେଖା ହୋଇଥିଲା। ରାଜୁ ଓ ରୁସ୍ତମ ହେଉଛନ୍ତି ପ୍ରଫେସନାଲ୍‌ ଏଟିଏମ୍‌ ଲୁଟେରା। ଏମାନେ ଏଟିଏମ୍‌ ଲୁଟ୍‌ ମାମଲାରେ ଜେଲ୍‌ ଯାଇଥିଲେ। ଜେଲ୍‌ରେ ରହଣୀ ସମୟରେ ଦେବୀକୁ ଏଟିଏମ୍‌ ଲୁଟ୍‌ର ଗୁରୁମନ୍ତ୍ର ଦେଇଥିଲେ ରାଜୁ ଓ ରୁସ୍ତମ।

ପରବର୍ତ୍ତୀ ସମୟରେ ଦେବୀ, ରାଜୁ ଓ ରୁସ୍ତମ ଜେଲ୍‌ରୁ ବାହାରିଥିଲେ। ତା’ପରେ ଏଟିଏମ୍‌ ଲୁଟ୍‌ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଫାଙ୍କା ଜାଗାରେ ଥିବା ଏଟିଏମ୍‌କୁ ଟାର୍ଗେଟ କରୁଥିଲେ। ଲୁଟ୍ ପାଇଁ ଦିନ, ବାର ଓ ତିଥି ସ୍ଥିର ହେବା ପରେ ଲୁଟ୍‌ କରୁଥିଲେ। ଏଥିପାଇଁ ଏକ ଗ୍ୟାଙ୍ଗ ତିଆରି କରିଥିଲା ଦେବୀ। ଯେଉଁଥିରେ ରମାକାନ୍ତ ସାହୁ ଓରଫ କାହ୍ନା, ସାଗର ସାମଲ, ବିରେନ ରାଉତ, ଆକାଶ ମହାପାତ୍ର ଓ ଆକାଶ ମୁଖାର୍ଜୀ ଓରଫ ବବିକୁ ସାମିଲ୍‌ କରିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ନାଁ ନନେଇ ଧୋଇଦେଲେ ଉପମୁଖ୍ୟମନ୍ତ୍ରୀ, ବିଜେଡି ସରକାର ଦଳୀୟ କର୍ମୀଙ୍କୁ ଟେକି ଦେଇଥିଲା ପର୍ଯ୍ୟଟନ ସ୍ଥଳୀ

ଯୋଜନା ମୁତାବକ ଗତ ୨୪ ତାରିଖ ରାତିରେ ଲିଙ୍ଗରାଜ ଥାନା ଶ୍ରୀରାମ ନଗରରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଲୁଟ୍ କରିଥିଲେ। ପୂରା ଏଟିଏମ୍‌କୁ ଉପାଡି ନେଇ ଯାଇଥିଲେ। ଏଟିଏମ୍‌ରେ ଥିବା ୨୪ ଲକ୍ଷ ଟଙ୍କା ନେଲା ପରେ ମେସିନ୍‌ଟିକୁ ଦୟା ନଦୀର କେନାଲ୍‌କୁ ଫିଙ୍ଗି ଦେଇଥିଲେ। ତା’ପରେ ଟଙ୍କା ଭାଗ କରି ନେଇ ଯାଇଥିଲେ। ଟଙ୍କା ପାଇବା ପରେ ରାଜୁ ଓ ରୁସ୍ତମ ପଶ୍ଚିମବଙ୍ଗ ପଳାଇ ଯାଇଥିଲେ।

ସେପଟେ ଏଟିଏମ୍‌ ଲୁଟ୍ ନେଇ ଅଭିଯୋଗ ହେବା ପରେ କମିସନରେଟ୍‌ ପୋଲିସ୍‌ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା। ପୋଲିସ୍‌ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସିଟିଭିକୁ ଧରି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତ ଦେବୀ ପାଖରେ ପହଞ୍ଚିଥିଲା ପୋଲିସ୍‌। ତା’ପରେ ଜଣେ ପରେ ଜଣେ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ଲୁଟ୍‌ ହୋଇଥିବା ଟଙ୍କାରୁ ଲକ୍ଷେ ୬୦ ହଜାର ଟଙ୍କା ଜବତ କରିଥିଲା। ହେଲେ ରାଜୁ ଓ ରୁସ୍ତମଙ୍କୁ ଧରିବାରେ ବିଫଳ ହୋଇଥିଲା ପୋଲିସ୍‌। ସେମାନଙ୍କୁ ଧରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ଡିସିପିଙ୍କ କହିବା ଅନୁସାରେ ରାଜୁ ଓ ରୁସ୍ତମ ହେଉଛନ୍ତି ପ୍ରଫେସନାଲ୍‌ ଏଟିଏମ୍‌ ଲୁଟେରା। ଧଉଳୀରେ ହୋଇଥିବା ଏଟିଏମ୍‌ ଲୁଟ୍‌ରେ ଏମାନଙ୍କ ହାତ ରହିଛି। ଏହାଛଡ଼ା ରାଜ୍ୟ ବାହାରେ ହୋଇଥିବା ଏଟିଏମ୍‌ ଲୁଟ୍‌ରେ ଏମାନଙ୍କ ହାତ ଥିବା ଜଣାପଡ଼ିଛି। ରାଜୁ ଓ ରୁସ୍ତମଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଡିସିପି କହିଛନ୍ତି।

Bhubaneswar Loot ATM Loot
Advertisment
Advertisment