• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାଞ୍ଚ ଦିନର ନନ୍ ଷ୍ଟପ୍ କାଉଣ୍ଟିଂ ପରେ ମଦ ସାମ୍ରାଜ୍ୟର ଟଙ୍କା ଗଣତି ସରିଛି । ପାଞ୍ଚ ଦିନ ଧରି ୨୫ଟି ମେସିନ ଓ ୫୦ ଜଣ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣି ଗଣି ହାଲିଆ । ତେବେ ଶେଷ ହୋଇଛି ଗଣତି । ସବୁ ନୋଟର ଗଣନା ସରିଛି ।

ମୋଟ ଟଙ୍କା ୩୪୮ କୋଟି । କେବଳ ବଲାଙ୍ଗିରରୁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ଆଲମିରା ଭର୍ତ୍ତି ଟଙ୍କା ।

୬ ତାରିଖରେ ପ୍ରଥମେ ରେଡ୍ ହୋଇଥିଲା । ଏତେ ନଗଦ ଟଙ୍କା ଦେଖି କାବା ହୋଇ ଯାଇଥିଲେ ସମସ୍ତେ । ଶନିବାର ଓ ରବିବାର ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ବସ୍ତା ବସ୍ତା ଟଙ୍କାର ଗଣତି କରିଥିଲେ । ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ ।

ତେବେ କଣ ଏହି ଟଙ୍କାର ଉତ୍ସ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି। ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟିସାହୁଙ୍କୁ ଜେରା କରାଯାଉଛି ।

ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ ଯେଉଁ ମଦ ବ୍ୟବସାୟରେ ଆଇଟି ରେଡ୍ ଚାଲିଛି, କୁହାଯାଉଛି, ସେଥିରେ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତ ରହିଛି । ତେବେ କିଏ ଏହି ଧୀରଜ ସାହୁ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ।

ଧୀରଜ ହେଉଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ । ସେ ରାଜ୍ୟସଭାର ସଭ୍ୟ ଅଛନ୍ତି । ଏପରିକି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଳେ ରାହୁଲଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜ୍ୟରେ ଧୀରଜ ସାହୁଙ୍କ ମଦ ବ୍ୟବସାୟ ରହିଛି ।

ଆଇଟି ରେଡ୍ କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି । ଏହି ଟଙ୍କା କେବଳ ତାଙ୍କର ନା ଆଉ କାହାର । ଧୀରଜ ସାହୁ ନିଜେ ଏହାର ସ୍ପଷ୍ଟୀକରଣ ଦେବା ଉଚିତ ବୋଲି କହିଛନ୍ତି ଜୟରାମ ରମେଶ ।