• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସିବିଆଇ କୋର୍ଟରେ ହାଜର ହେଲେ ବାହାନଗା ଟ୍ରାଜେଡିର ୩ ଅଭିଯୁକ୍ତ । କଡ଼ା ସୁରକ୍ଷା ଭିତରେ ସିବିଆଇ ଅଫିସ୍‌ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇ ପ୍ରଥମେ ସେମାନଙ୍କ ମେଡିକାଲ ଚେକ୍‌ଅପ କରାଯାଇଥିଲା । ଭୁବନେଶ୍ୱର ସିବିଆଇ ଅଫିସ୍‌ରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବା ପରେ କୋର୍ଟରେ ହାଜର କରାଯାଇଛି । ସେପଟେ ୩ ଅଭିଯୁକ୍ତ ଦୁର୍ଘଟଣାର କାରଣ ଜାଣିଥିବା ସୂଚନା ଦେଇଛି ସିବିଆଇ । ତଦନ୍ତକାରୀ ସଂସ୍ଥାର ତଦନ୍ତରୁ ଏପରି ସୂଚନା ମିଳିଛି । ୩ ଅଭିଯୁକ୍ତଙ୍କ ତ୍ରୁଟି ପାଇଁ ହିଁ ଦୁର୍ଘଟଣା ଘଟିଥିବା ସୂଚନା ଦେଇଛି ସିବିଆଇ ।

ସମସ୍ତ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି । ଯଦି କୋର୍ଟ ସିବିଆଇର ୫ ଦିନିଆ ରିମାଣ୍ଡ ଆବେଦନକୁ ଗ୍ରହଣ କରନ୍ତି, ତେବେ ସିବିଆଇ ସେମାନଙ୍କୁ ରିମାଣ୍ଡରେ ନେଇ ଅନେକ ପ୍ରଶ୍ନ ପଚାରିବ ।  ଘଟଣା ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ? ସେ ନେଇ ତଦନ୍ତ କରିବ ସିବିଆଇ । କେଉଁ କାରଣରୁ ସିଗ୍‌ନାଲ ଭୁଲ ଗଲା ନା ଜାଣିଶୁଣି ଏପରି କରାଯାଇଛି ସେନେଇ ସମସ୍ତ ତଥ୍ୟ ଖୋଜିବ ସିବିଆଇ । 

ଖାଲି ସେତିକି ନୁହେଁ, ଯାତ୍ରୀମାନଙ୍କୁ ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲିଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୩ ଅପରାଧୀ । ଅପରାଧ ଘଟାଇବା ପରେ ପ୍ରମାଣ ଲୁଚାଇଥିବା ମଧ୍ୟ କହିଛି ସିବିଆଇ । ବାହାନଗା ଦୁର୍ଘଟଣାରେ ଏଯାଏଁ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଦୁର୍ଘଟଣା ନେଇ କିଛି ସୂଚନା ପ୍ରକାଶ ପାଇଥିଲା । ସେତେବେଳେ କୁହାଯାଇଥିଲା କି, ଭୁଲ ସିଗନାଲିଂ ପାଇଁ ବାହାନଗା ଟ୍ରେନ ଦୁର୍ଘଟଣା ଘଟିଥିଲା । କମିଶନର ଅଫ ରେଲୱେ ସେଫ୍ଟି ବା CRS ରେଳ ବିଭାଗରେ ଦାଖଲ କରିଥିବା ଏହାର ତଦନ୍ତ ରିପୋର୍ଟରେ... ଦୁର୍ଘଟଣା ପାଇଁ ମାନବୀୟ ତ୍ରୁଟିକୁ ଏକ ପ୍ରମୁଖ କାରଣ ଭାବେ ଦର୍ଶାଇଥିଲା ।

ଏପରିକି, ଶେଷ ମୂହୁର୍ତ୍ତରେ ଷ୍ଟେସନ ମାଷ୍ଟର ସତର୍କ କରାଇଥିଲେ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ସେହିପରି ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିକୁ ବି ରିପୋର୍ଟରେ ଦର୍ଶାଯାଇଥିଲା ।