• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଝାରପଡା ଜେଲରେ ପୋଲିସର ରେଡ ଆଉ ତା ଭିତରୁ ଗଞ୍ଜେଇ ମିଳିବା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ଜେଲ ଡିଜି । ଜଣେ ଡିଆଇଜି ଏହି ତଦନ୍ତ କରୁଥିବା ବେଳେ ତାଙ୍କୁ ସିନିୟର ସୁପରିଟେଣ୍ଡେଣ୍ଟ ସହଯୋଗ କରୁଛନ୍ତି । ସେପଟେ ଜେଲ ସୁରକ୍ଷାକୁ ନେଇ ଜେଲ ଡିଜିଙ୍କୁ କଫୟତ ମାଗିଲେ ରାଜ୍ୟ ସରକାର । ଜେଲ ଡିଜିଙ୍କ ସୂଚନା ଯିଏ ଦୋଷୀ ତା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

ଆକ୍ସନ ମୋଡରେ ଜେଲ ଡିଜି, ଚାଲିଛି ତଦନ୍ତ, ହେବ ଆକ୍ସନ । ଜେଲ ଭିତରକୁ କେମିତି ଯାଉଛି ନିଶା ଦ୍ରବ୍ୟ, କାହିଁକି ହେଉଛି ଗୋଷ୍ଠୀ ସଂଘର୍ଷ । ଏ ନେଇ ଜେଲ କର୍ତ୍ତୃପକ୍ଷ କରୁଛନ୍ତି କଣ ? କଏଦୀ ମାନଙ୍କ ସହିତ ଜେଲରଙ୍କ ମଧୁର ସଂପର୍କ ରହିଛି କି । ହାର୍ଡକୋର ଅପରାଧୀଙ୍କ ସହ କେଉଁ ଜେଲ ଅଫିସରଙ୍କ ରହିଛି ମଧୁଚନ୍ଦ୍ରିକା । କାହିଁକି  ଖରାପ ହେଉଛି ଝାରପଡା ଜେଲର ବାତାବରଣ । ଏ ସମସ୍ତ ଦିଗକୁ ନେଇ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ । ଡିଆଇଜି ଅନୁସୂୟା ଜେନା ଓ ସିନିୟର ସୁପରିଟେଣ୍ଡେଣ୍ଟ ଡିଏନ ବାରିକକଙ୍କୁ ମିଳିଛି ତଦନ୍ତ ଦାୟିତ୍ବ । ସେପଟେ  ଚକରା ଓ ସମ୍ଭୁକୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କୁ ଅନୁମତି ମାଗିଛି ଜେଲ ବିଭାଗ ।  ଏହି କ୍ରମରେ ମୋଟ ୨୦ ଜଣ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। 

ସେପଟେ ପୂର୍ବତନ ଜେଲରଙ୍କ କହିବା ଅନୁସାରେ ଜେଲ ଭିତରକୁ ନିଶା ଦ୍ରବ୍ୟ ଯିବା କିଛି ନୂଆ କଥା ନୁହେଁ । ଏଥିରେ ଜେଲ କର୍ମଚାରୀ ହିଁ ସମ୍ପୃକ୍ତ ଥାନ୍ତି । ଝାରପଡା ଜେଲରେ କିଛି କର୍ମଚାରୀ ଅଛନ୍ତି ନିଶା କାରାବାରରେ ସମ୍ପୃକ୍ତ ଅଛନ୍ତି । ଅପରପକ୍ଷେ ଜେଲ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣା ପାଇଁ ଦାୟୀ ବୋଲି କହିଛନ୍ତି ପୂର୍ବତନ ଜେଲ ଅଧିକାରୀ ।

ରାଜ୍ୟର ଏବେ ଏକାଧିକ ପ୍ରମୁଖ ଜେଲ ଚର୍ଚ୍ଚାରେ ରହିଛି । କେଉଁଠି କଏଦୀ ଫେରାର ହୋଇଯାଉଛନ୍ତି ତ ଆଉ କେଉଁଠି ନିଶା ପାଇଁ ଗୋଷ୍ଠୀ ସଂଘର୍ଷ । ତେବେ ଜେଲ ମଧ୍ୟରେ ସଂସ୍କାର ଆଣିବା ସହ ସୁରକ୍ଷିତ ରଖିବା ପାଇଁ ଏବେ କଏଦୀଙ୍କ ସ୍ଥାନାନ୍ତରଣ ପାଇଁ ଚିନ୍ତା କରୁଛି ଜେଲ ବିଭାଗ ।

  • Reported by:
  • CHANDAN PAIKRAY