• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା । ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ । ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବାବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ । ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମାଶଙ୍କରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF । ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ STF ।

କ୍ରାଇମବ୍ରାଞ୍ଚ କବଜାରେ ନକଲି ED । ଅଫିସର ରେଡ୍ ଭୟ ଦେଖାଇ ମାଗୁଥିଲେ ଟଙ୍କା । ଟାର୍ଗେଟରେ ଥିଲେ ସରକାରୀ ଅଧିକାରୀ । ଦୁଇ ଭାଇ ହେଉଛନ୍ତି ଚାର୍ ସୋ ବିସ୍ । ବଡ ଭାଇ ତାରିଣୀସେନ ମହାପାତ୍ର ଏବଂ ସାନ ଭାଇ ବ୍ରହ୍ମାଶଙ୍କର ମହାପାତ୍ର । ତାରିଣୀ କମର୍ସ ଗ୍ରାଜୁଏଟ୍ ହୋଇଥିବା ବେଳେ ବିସିଏ ପଢିଛନ୍ତି ବ୍ରହ୍ମାଶଙ୍କର । ହେଲେ ଏମାନଙ୍କ ପେଶା ସରକାରୀ ଅଧିକାରୀଙ୍କୁ ଚୂନ ଲଗାଇବା । ଟାର୍ଗେଟରେ ତହସିଲଦାର, ଉପ ଜିଲ୍ଲାପାଳ, ଏସଡିଏମ୍, ଆରଟିଓ, କଣ୍ଟ୍ରାକ୍ଟର ଏବଂ ଇଂଜିନିୟରଙ୍କ ଭଳି ବଡ ବାବୁ । ମିଛ ଇଡି ଅଧିକାରୀ ପରିଚୟ ଦେଇ ଅଫିସରଙ୍କୁ ଫୋନ୍ କରନ୍ତି । ନାଁରେ ମାମଲା ରହିଛି, ଚଢାଉ ହେବ ଧମକ ଦେଇ ଟଙ୍କା ଡିମାଣ୍ଡ କରନ୍ତି । ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ଅନଲାଇନ୍‌ରେ ନିଅନ୍ତି ଟଙ୍କା । ପରେ ଦିଅନ୍ତି ମିଛ କ୍ଲିଅରାନ୍ସ ରିପୋର୍ଟ।

ଦୁଇ ଠକ ଭାଇଙ୍କ ଘର ଢେଙ୍କାନାଳରେ । ତେବେ ଏମାନେ ରାଂଚିରେ ରହୁଥିଲେ । ନିଶା ନିବାରଣ ପାଇଁ ଉପକାର ନାମକ ଏନଜିଓ ଖୋଲିବା ସହ ଚଳାଉଥିଲେ ଠକେଇର ନେଟୱର୍କ । କିଛି ଦିନ ତଳେ ଦୁଇ ଭାଇଙ୍କ କଲ୍ ପହଁଚିଥିଲା ଛତ୍ରପୁର ଉପଜିଲ୍ଲାପାଳ ତଥା SDM ଦେବଦତ୍ତ ମହନ୍ତଙ୍କ ପାଖରେ । ତାଙ୍କୁ ବି ଫସାଇବାକୁ ହୋଇଥିଲା ପ୍ଲାନ। ନିଜକୁ ଇଡି ଉପନିର୍ଦ୍ଦେଶକ ପରିଚୟ ଦେଇ ମାମଲା ରଫାଦଫା ପାଇଁ ଟଙ୍କା ମାଗିଥିଲେ ଠକ । 

ତେବେ ସନ୍ଦେହ ହେବାରୁ ଏସଟିଏଫରେ ଅଭିଯୋଗ କରିଥିଲେ SDM ଦେବଦତ୍ତ ମହନ୍ତ । ଯାହାର ତଦନ୍ତ କରି ଦୁଇ ଭାଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ । ତାଙ୍କ ଫୋନ ପେ ଜରିଆରେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଏସଟିଏଫି ଜାଣିବାକୁ ପାଇଛି। ସେମାନଙ୍କ ଠାରୁ ଜାଲ୍ ପରିଚୟ ପତ୍ର, ୧୭ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ, ମୋବାଇଲ ଓ ବ୍ୟାଙ୍କ ପାସବୁକ ଜବତ ହୋଇଛି । 

ଏସଟିଏଫ୍ ପଞ୍ଝାରେ ନକଲି ଇଡି ଅଧିକାରୀ ପଡିବା ସହ ହାତରେ ଲାଗିଛି ସେମାନେ ପ୍ରସ୍ତୁତ କରିଥିବା ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ତାଲିକା । କିଏ ଏଇ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ? କଣ କରିଛନ୍ତି ଦୁର୍ନୀତି ? ନକଲି ଇଡି ଅଧିକାରୀ ଦୁଇ ଭାଇଙ୍କ ଚଢାଉ ଭୟରେ କିଏ, କେତେ ଟଙ୍କା ଦେଇଛନ୍ତି ? ୩୪୦ ଜଣିଆ ତାଲିକାରେ ଥିବା ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ଏସଟିଏଫ୍ କହିଥିବା ବେଳେ ସାମ୍ନାକୁ ଆସିପାରିବ ତ ସେମାନଙ୍କ ନାଁ ?

 

  • Reported by:
  • ATULYA BOUT