/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714486493.jpg)
Nandankanan
ନନ୍ଦନକାନନ ଡେପୁଟି ଡାଇରେକ୍ଟରଙ୍କ ରୁମରେ ପଶି କଟୁରୀରେ ଆତଙ୍କ ଖେଳାଇବା ଘଟଣାରେ ବନ୍ଧା ହୋଇଛନ୍ତି ଦୁଇ ଅଭିଯୁକ୍ତ । ବିଳମ୍ବିତ ରାତିରେ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ସେପଟେ ଓଟିଭି କ୍ୟାମେରା ଆଗରେ ଅଭିଯୁକ୍ତ ଖୋବା ଖୋଲିଛି ନନ୍ଦନକାନନରେ କେମିତି ହଉଛି ଭୋଜି ଆଉ ମଦ୍ୟପାନ । ଯେଉଁଥି ପାଇଁ ଗଣ୍ଡଗୋଳର ହୋଇଛି ସୁତ୍ରପାତ।
ହାତରେ କଟୁରୀ ଧରି ଅଫିସ ଭିତରେ ପଶିଲା । ଆଖି ଆଗରେ ଯାହା ପଡ଼ିଲା ଚୋଟ ପରେ ଚୋଟ ମାରିଚାଲିଲା । ଏମିତି ଅଧ ଘଣ୍ଟା ଆତଙ୍କ ଖେଳାଇଲା ଯୁବକ। କଟୁରୀ ଧରି ଆକ୍ରମଣ କରୁଥିବା ଯୁବକ ହେଉଛି ଦାରୁଠେଙ୍ଗର ସନ୍ତୋଷ ପାହାଡ଼ସିଂ ଓରଫ ଖୋବା । ଆଉ ଯେଉଁ ଅଫିସ୍ ଭିତରେ ଆକ୍ରମଣ କରୁଛି ତାହା ହେଉଛି ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ। ସୋମବାର ସନ୍ଧ୍ୟା ପାଖାପାଖି ସାଢ଼େ ୫ଟା ବେଳେ ଖୋବା ଓ ତାହାର ସହଯୋଗୀ ସନ୍ତୋଷ ସାମଲ ଏଭଳି ଆତଙ୍କ ଖେଳାଇଛନ୍ତି ।
ନନ୍ଦନକାନନର ୨ ଜଣ ଏସିଏଫ ଆହତ ହୋଇଥିବା ବେଳେ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରେ କମ୍ପ୍ୟୁଟର, ଲାପଟପ୍, ଟିଭି, ଫର୍ଣ୍ଣିଚର ଓ ମୋବାଇଲ ଫୋନ ଭାଙ୍ଗି ଦେଇଛନ୍ତି ଅଭିଯୁକ୍ତ। ଘଟଣାରେ ୨ ଅଭିଯୁକ୍ତକୁ ନନ୍ଦନକାନନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଖୋବା ନାମରେ ୧୦ରୁ ଉର୍ଦ୍ଧ୍ୱ ମାମଲା ରହିଛି।
ସେପଟେ ଆକ୍ରମଣ ପଛର କାରଣ ନେଇ କ୍ୟାମେରା ଆଗରେ ବିସ୍ଫୋରକ ବୟାନ ରଖିଛି ଅଭିଯୁକ୍ତ ଖୋବା । ତା’ର କହିବା ଅନୁସାରେ ସବୁଦିନ ସେ ନନ୍ଦନକାନନ ମଧ୍ୟରେ ଅବାଧରେ ପ୍ରବେଶ କରେ । ପ୍ରାଣୀଉଦ୍ୟାନ ମଧ୍ୟରେ ଏକାଧିକ ଏସିଏଫଙ୍କ ସହ
ତାଙ୍କର ସଂପର୍କ ଥିବା ବେଳେ ଭୋଜି ଭାତ ମଧ୍ୟ ହୁଏ । ଏପରିକି ତାହା ମଧ୍ୟରେ ନିୟୋଜିତ ଷ୍ଟାଫଙ୍କ ସହ ଖୋବା ମଦ୍ୟପାନ କରୁଥିବା ପ୍ରକାଶ କରିଛି । ଘଟଣା ଦିନ ଜଣେ ଏସିଏଫ୍ ହାତୀ ସହ ହାଣ୍ଡସେକ କରୁଥିଲେ । ସେହି ସମୟରେ ଅଭିଯୁକ୍ତ ହାତୀ ସହ ହ୍ୟାଣ୍ଡସେକ କରିବାରୁ ତାଙ୍କୁ ଏସିଏଫ୍ ଧକ୍କା ଦେଇଥିଲେ। ଏହାକୁ ନେଇ ଖୋବା ରାଗି ଯାଇ ଏସିଏଫଙ୍କୁ କଟୁରୀରେ ଆକ୍ରମଣ କରିଥିଲା ।
ବାସ୍ତବରେ ଯଦି ଅଭିଯୁକ୍ତର ବୟାନ ସତ୍ୟ ହୁଏ ତାହେଲେ ଏହା ସାଂଘାତିକ । ନନ୍ଦନକାନନ ଭିତରେ ଚାଲିଛି କ’ଣ ? ଆକ୍ରମଣ ବେଳେ କାହିଁକି ଖୋବାକୁ ରୋକିଲେ ନାହିଁ ସୁରକ୍ଷା କର୍ମୀ ? ନିୟୋଜିତ କର୍ମଚାରୀ ଏସିଏଫ ସତରେ କ’ଣ ଅପରାଧୀଙ୍କୁ ନେଇ ପ୍ରାଣୀ ଉଦ୍ୟାନ ଭିତରେ କରୁଛନ୍ତି କି ଭୋଜି ଭାତ ? ଏ ତମାମ ଉତ୍ତର ଜାଣିବା ପାଇଁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)