Advertisment

ସହାୟତା ଆଳରେ ରୋଗୀଙ୍କୁ ଠକୁଥିଲେ, ଶେଷରେ ବନ୍ଧା ହେଲେ

ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍‌। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍‌ ପାଳି।

author-image
Manoranjan Behera
ଅଦ୍ୟତନ ହୋଇଛି
AIIMS

AIIMS

ଭୁବନେଶ୍ୱର ଏମସ୍‌ରୁ ଧରାପଡ଼ିଲେ ଦଲାଲ । ବ୍ରହ୍ମପୁର ଓ କଟକ ଏସସିବି ମେଡିକାଲ୍‌ରୁ ଦଲାଲ ଧରାପଡ଼ିବା ପରେ ଏବେ ଏମସ୍‌ରୁ ୧୨ ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ ପରେ ଏମାନଙ୍କୁ ଗିରଫ କରାଯାଇଛି । ଏସବୁ ବ୍ୟକ୍ତି ରୋଗୀଙ୍କୁ ସହାୟତା ଆଳରେ ଠକୁଥିବା ଅଭିଯୋଗ ରହିଛି ।

Advertisment

ଭୁବନେଶ୍ୱର ସ୍ଥିତ ଏମସ୍‌ ଏକ ଜାତୀୟ ସ୍ତରର ହସ୍ପିଟାଲ ହୋଇଥିବା ବେଳେ ଏଠାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ।  ଏଠାରେ ଚିକିତ୍ସିତ ହେବାକୁ ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି । ରାତି ରାତି ସେମାନେ ଶୀତ କାକରରେ ପଡ଼ି ରହିଥିବା ବେଳେ ଟିକେଟ ଖଣ୍ଡେ ପାଇଁ ଲମ୍ବା ଲାଇନ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥାନ୍ତି। ଟିକେଟ ଖଣ୍ଡେ ପାଇ ଡାକ୍ତରଙ୍କ ପରାମର୍ଶ କରିବା ନିମନ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥାଏ । ଏହାର ଫାଇଦା ନେଇଥାନ୍ତି ଦଲାଲ।

ସେମାନେ କାଉଣ୍ଟରରେ ଛିଡ଼ା ହୋଇ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ଏପରିକି ଟିକେଟ ପିଛା ୪ରୁ ୫ ହଜାର ଟଙ୍କା ଆଦାୟ କରିଥାନ୍ତି। ଫଳରେ ହନ୍ତସନ୍ତ ହୋଇଥାନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ । ଏପରିକି ଜମିବାଡ଼ି ବିକ୍ରି କରିକି ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଦଲାଲଙ୍କୁ ଦେବାକୁ ବାଧ୍ୟ ହୋଇଥାନ୍ତି।

Advertisment

ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ୍‌ ବହୁ ଦିନ ହେବ ଚଢ଼ଉ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲା। ଏଥିନିମନ୍ତେ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଖଣ୍ଡଗିରି ପୋଲିସ୍‌ ସଦଳବଳେ ଆଜି ହସ୍ପିଟାଲ ଉପରେ ଚଢ଼ାଉ କରିଥିବା ବେଳେ ୧୩ ଦଲାଲଙ୍କୁ ଗିରଫ କରିଛି। ଏଥିସହ ଆହୁରି ବହୁ ଦଲାଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

ସେମାନେ କିଭଳି ରୋଗୀଙ୍କ ସମ୍ପର୍କୀୟଙ୍କୁ ନିଜ ଜାଲରେ ପକାଉଥିଲେ ତାହାର ତଦନ୍ତ କରୁଛି ପୋଲିସ୍‌ । ଏହି ଘଟଣାରେ ହସ୍ପିଟାଲର କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ପୋଲିସ ତାହାର ଖୋଳତାଡ ଆରମ୍ଭ କରିଛି।

AIIMS Crime
Advertisment
Advertisment