• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୨୩ରେ ମାନେଶ୍ୱରର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ବିଭିନ୍ନ ପରୀକ୍ଷା ନିରିକ୍ଷା ସରିବା ପରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । କିନ୍ତୁ ତାହାରି ଭିତରେ ସ୍ୱାମୀ ଜଣକ ନିଜ ପତ୍ନୀର ମୃତ୍ୟୁ ସାର୍ଟିଫିକେଟ୍‌ ପ୍ରସ୍ତୁତ କରିବା ପାଇଁ ହସ୍ପିଟାଲ ଷ୍ଟାଫ୍‌ ମାନଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଏପ୍ରିଲ ୬ ତାରିଖରେ ସେହି ମୃତ୍ୟୁକୁ ରେଜିଷ୍ଟର କରିବା ପାଇଁ ମଧ୍ୟ ସ୍ଥିର କରିଥିଲେ ।

ଜୟପୁରର ଉକ୍ତ ଘରୋଇ ମେଡିକାଲ ଷ୍ଟାଫ୍‌ମାନଙ୍କ ସହଯୋଗରେ ଅନେକ ଗୁଡ଼ିଏ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ ସ୍ୱାମୀ । ପରେ ସେହି ଡକ୍ୟୁମେଣ୍ଟ ଗୁଡ଼ିକୁ ଦେଇ ସରକାରୀ ଦପ୍ତରରରୁ ବା ମୁନିସିପାଲିଟିରୁ ଓରିଜିନାଲ ଡେଥ୍‌ ସାର୍ଟିଫିକେଟ୍‌ ସଂଗ୍ରହ କରିଥିଲେ ।

ସେହି ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍‌ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍‌ କରିଥିଲେ ।

ହେଲେ ହଠାତ୍‌ ଦିନେ ଗ୍ରେଟର ଜୟପୁର ମୁନିସିପାଲିଟିର ରେଜିଷ୍ଟ୍ରାର ପ୍ରଦୀପ ପାରେକଙ୍କୁ ଯୋଗାଯୋଗ କରିଥିଲା ଇନସୁରାନ୍ସ କମ୍ପନୀ । ଉକ୍ତ ମହିଳା ମୃତ ନା ଜୀବିତ ବା ସେହି ଡେଥ୍‌ ସାର୍ଟିଫିକେଟ୍‌ର ଯାଞ୍ଚ ପାଇଁ କହିଥିଲା ।

ତେବେ ଏହାର ଉତ୍ତରରେ ପ୍ରଦୀପ ପାରେକ କହିଥିଲେ, ଆମେ ସେତେବେଳେ ଡେଥ୍‌ ସାର୍ଟିଫିକେଟ୍‌ ଇସ୍ୟୁ କରୁ ଯେତେବେଳେ ଆମ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ପହଞ୍ଚିଥାଏ । ହସ୍ପିଟାଲ ପୋର୍ଟାଲରେ ପରିଚୟ ରେଜିଷ୍ଟ୍ରେସନ୍ ହେବା ପରେ ଆମ ପାଖକୁ ଡକ୍ୟୁମେଣ୍ଟ ଆସିଥାଏ । ଏମିତିକି ଆମେ ଫ୍ୟୁନେରାଲ ରିପୋର୍ଟ ତଥା ଗ୍ରାଉଣ୍ଡରୁ ଶବ ସତ୍କାର ରିପୋର୍ଟକୁ ମଧ୍ୟ ଗ୍ରହଣ କରିଥାଉ । ତାପରେ ଆମେ ସାର୍ଟିପିକେଟ୍ ପ୍ରଦାନ କରିଥାଉ ।

ଅନ୍ୟପଟେ ମିଛ ମୃତ୍ୟୁର ନାଟକ ସେତେବେଳେ ପର୍ଦ୍ଦାଫାସ୍ ହୋଇଥିଲା ଯେତେବେଳେ ଇନସୁରାନ୍ସ କମ୍ପାନୀ ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିଲା । ଆଉ ମହିଳାଙ୍କୁ ଜୀବତ ଦେଖିଥିଲେ ଯାଞ୍ଚ ଟିମ୍ । ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଆଉ ନିଜ ଘରେ ଆରମ୍‌ରେ ରହୁଥିଲେ ।

ମିଛ ମୃତ୍ୟୁ ବୋଲି ଜଣାପଡ଼ିବା ପରେ ମୁନିସିପାଲିଟିର ଡେପୁଟି ରେଜିଷ୍ଟ୍ରାର ଲତେଶ ଗୁପ୍ତା ଚଳିତ ସପ୍ତାହରେ ଡେଥ୍‌ ସାର୍ଟିଫିକେଟ୍‌କୁ ଖାରଜ କରିଥିଲେ । ଏହାସହ ଏହି ଜାଲିଆତିରେ ଯେଉଁମାନେ ସବୁ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।