• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ । ସେ କହିଛନ୍ତି ଯେ, ଓମିକ୍ରନର ସଂକ୍ରମଣ ହାର ବହୁତ ଅଧିକ । ଏହା ସୁନାମି ରୂପ ନେବାର ଆଶଙ୍କା ରହିଛି । ଏପରି ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପଡ଼ିବ ବୋଲି କୁହାଯାଉଛି । ତା ସହିତ ସେବା କରି କରି ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ପୁରାପୁରି ହାଲିଆ ହୋଇଯିବେ ।

ଡେଲ୍ଟା ଆଡୁ ଏବେ ମଧ୍ୟ ବିପଦ କମିନାହିଁ ବୋଲି ସୂଚନା ଦେବା ସହିତ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ଯାଆଁଳା ବିପଦ ବୋଲି ସତର୍କ କରାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) । ଉଭୟ ଭାରିଆଣ୍ଟର ସଂକ୍ରମଣରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ କରୁଛି । ଉଭୟ ହସ୍ପିଟାଓ୍ୱଲାଇଜେସନ୍ ଓ ମୃତ୍ୟୁ ହାର ବଢିବାରେ ଲାଗିଲାଣି । ଗତ ସପ୍ତାହରେ ସାରା ବିଶ୍ୱରେ ସଂକ୍ରମଣ ୧୧ ପ୍ରତିଶତ ବଢ଼ିଛି ।

ଆମେରିକା ଓ ଫ୍ରାନ୍ସରେ ଗତକାଲି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସପ୍ତାହକ ମଧ୍ୟରେ ଆମେରିକାରେ ଦୈନିକ ହାରାହାରି ପଜିଟିଭ ବାହାରୁଛନ୍ତି । ୨ ଲକ୍ଷ ୫୮ ହଜାରରୁ ଅଧିକ ଆକ୍ରାନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ନିଜେ ସ୍ୱାସ୍ଥ୍ୟକର୍ମୀମାନେ ବି ଆକ୍ରାନ୍ତ ହେଉଥିବାରୁ ପୁରା ସ୍ୱାସ୍ଥ୍ୟ ବିଭାଗ ଉପରେ ଚାପ ପଡୁଥିବା କହିଛନ୍ତି ଟେଡ୍ରସ । ତେବେ ଏହି ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଟିକାକରଣ ହିଁ ଏକମାତ୍ର ଉପାୟ ଓମିକ୍ରନରୁ ରକ୍ଷା ପାଇବା ପାଇଁ ।

ଏଇ ବର୍ଷ ଶେଷ ସୁଦ୍ଧା ବିଶ୍ୱର ସବୁ ଦେଶ ୪୦ ପ୍ରତିଶତ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି । ୨୦୨୨ ଜୁନ-ଜୁଲାଇ ଆଡ଼କୁ ଏହାକୁ ୭୦ ପ୍ରତିଶତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଧନୀ ଦେଶଗୁଡ଼ିକ କେବଳ ନିଜ ନାଗରିକଙ୍କୁ ଟିକା ଓ ଚିକିତ୍ସା କରି ଗରିବ ଦେଶକୁ କିଛି ସାହାଯ୍ୟ କରୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଟେଡ୍ରସ୍ । ୨୦୨୦ରେ କରୋନା ସାରା ବିଶ୍ୱରେ ୧୮ ଲକ୍ଷ ଲୋକଙ୍କ ଜୀବନ ନେଇଥିବାର ବେଳେ ୨୦୨୧ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ଥିଲା । ଏହା କେବଳ ସରକାରୀ ହିସାବ, ଏହା ବାହାରେ ମଧ୍ୟ ଆହୁରି ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।