• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆାଉ ଏକ କରୋନା ଟିକାକୁ ମିଳିଲା WHO ପକ୍ଷରୁ ମଞ୍ଜୁରୀ । କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା WHO ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦିଆଯାଇଛି । ଏନେଇ ସେରମ୍ ସିଇଓ ଆଦର ପୁନାୱାଲା ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି ।

WHOକୁ ପୁନାୱାଲା ଧନ୍ୟବାଦ ଦେବା ସହ କୋଭାଭାକ୍ସକୁ ଅନୁମତି ମିଳିବା ପରେ ଆଗକୁ କରୋନା ବିରୋଧୀ ଲଢ଼େଇ ଜୋରଦାର ହେବ ବୋଲି ପୁନାୱାଲା ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ସୁଦ୍ଧା WHO ୯ଟି କରୋନା ଟିକାକୁ ଅନୁମତି ଦେଇସାରିଥିବାବେଳେ ଦେଶରେ ସେରମ୍‌ର କୋଭିସିଲ୍ଡ଼ ଏବଂ ଭାରତ ବାଓଟେକ୍ର କୋଭାକ୍ସିନ୍ ଆଦି ଭ୍ୟାକ୍ସିନକୁ ଅନୁମତି ଦିଆଯାଉଛି । ଏବେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଦେଶବ୍ୟାପି ବଢ଼ିଥିବା ଭୟ ଭିତରେ କୋଭାଭାକ୍ସକୁ WHOର ମଞ୍ଜୁରୀ, ସେରମ୍ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି । ଜୁନ୍ ୨୫ରେ କୋଭୋଭାକ୍ସର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ କରାଯାଇଥିଲା ।

ଏଣେ ବ୍ରିଟେନ୍‌ରେ ବଢିଚାଲିଛି ଓମିକ୍ରିନ୍ ଭାରିଆଣ୍ଟ ସଂକ୍ରମଣ । ଗତକାଲି ଗୋଟିଏ ଦିନରେ ବ୍ରିଟେନ୍‌ରେ ୯୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭାରତରେ ମଧ୍ୟ ଓମିକ୍ରନ ସଂକ୍ରମଣ ଶହେ ଟପି ସଂଖ୍ୟା ୧୧୩ ଛୁଇଁଛି । ଭାରତର ୧୧ ରାଜ୍ୟକୁ ଛୁଇଁ ସାରିଲାଣି କରୋନାର ଏହି ନୂଆ ରୂପ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ୩୨, ଦିଲ୍ଲୀରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୭, କେରଳ ଓ ଗୁଜୁରାଟରେ ୫, ପଶ୍ଚିମବଙ୍ଗ, ଆନ୍ଧ୍ର ଏବଂ ତାମିଲନାଡୁରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ଦିଲ୍ଲୀରେ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ଦିନରେ ୧୦ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଦ୍ରୁତ ସଂକ୍ରାମକ ରୂପକୁ ନଜରରେ ରଖି ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।