• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: କୋଭାକ୍ସିନ୍‌କୁ କେବେ ମିଳିବ WHO ର ସ୍ୱୀକୃତି । ତାରିଖ ପରେ ତାରିଖ ଗଢିବାରେ ଲାଗିଛି । ଦିନ ପରେ ଦିନ ବିତୁଛି । ଆଜି ମିଳିବ, କାଲି ମିଳିବ ବୋଲି କୁହାଯାଉଛି, ହେଲେ ମିଳୁନାହିଁ ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ମଞ୍ଜୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆହୁରି ସମୀକ୍ଷା ଦରକାର ବୋଲି କୁହାଯାଇଛି ।

ଗତ ମଙ୍ଗଳବାର ବସିଥିଲା କୋଭାକ୍ସିନର ଏମର୍ଜେନ୍ସି ୟୁଜ୍ ଲିଷ୍ଟିଂ ବା EUL ନେଇ WHOର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଶା ଥିଲା ମଂଜୁରୀ ମିଳିଯିବ ବୋଲି, କିନ୍ତୁ ପୁଣି WHO ମାଗିଲା ୨୪ ଘଣ୍ଟାର ସମୟ । ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌କୁ ଅଧିକ ତଥ୍ୟ ମାଗିଛି WHO ର ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ । କୋଭାକ୍ସିନ ଟିକା ପରୀକ୍ଷଣର ଫାଇନାଲ ରିସ୍କ ବେନିଫିଟ୍ ଆସେସମେଂଟ୍ ବାବଦରେ ଏହି ତଥ୍ୟ ମଗାଯାଇଛି । WHO ମୁଖପାତ୍ର କହିଛନ୍ତି ଯେ, ଭାରତ ବାୟୋଟେକ୍‌ର ତଥ୍ୟରେ ସନ୍ତୁଷ୍ଟ ହେଲେ ବୁଧବାର ଟିକାକୁ ମଂଜୁରୀ ନେଇ ନିଷ୍ପତ୍ତି ନିଆଯିବ । ତେବେ ମିଳିଥିବା ସୂଚନା ଅନୁସାରେ, ଏବେ ଏହି ନିଷ୍ପତ୍ତି ନଭେମ୍ବର ୩ ତାରିଖକୁ ଘୁଞ୍ଚିଛି । ଭାରତ ବାୟୋଟେକ୍ ଦେଇଥିବା ଟିକାର ଶେଷ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ତର୍ଜମା କରି ଜରୁରୀକାଳୀନ ବ୍ୟବହାର ପାଇଁ ନିଷ୍ପତ୍ତି ନେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO । ଆଉ ଏହାର ଫଳ ଭୋଗୁଛନ୍ତି ଭାରତୀୟ । ସ୍ୱଦେଶୀ ଟିକା ନେଇଥିବା ଭାରତୀୟଙ୍କୁ ବିଦେଶ ଯିବାକୁ ଅନୁମତି ମିଳୁନାହିଁ । ୟୁରୋପୀୟ ସଂଘ ଏବଂ ଆମେରିକା କୋଭାକ୍ସିନ ନେଇଥିବା ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ପାଇଁ ସେମାନେ ବିଦେଶ ଯାଇପାରୁନାହାନ୍ତି। ଜରୁରୀ କାମ ଏବଂ ଚିକିତ୍ସା ମଧ୍ୟ ବନ୍ଦ ରହିଛି ।

କୋଭାକ୍ସିନ ଟିକା ନେଇ WHO ର ମଂଜୁରୀକୁ ଅପେକ୍ଷା କରିଛନ୍ତି ଶହ ଶହ ଭାରତୀୟ । ତେବେ ଓମାନ, ଇରାନ, ଫିଲିପିନ୍ସ, ମରିସସ୍, ମେକ୍ସିକୋ, ନେପାଳ ଏବଂ ଜିମ୍ବାୱେ ଭଳି ଦେଶ ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ କୋଭାକ୍ସିନକୁ ଅନୁମତି ଦେଇସାରିଛନ୍ତି । ଏହାର ଅର୍ଥ ହେଉଛି, କୋଭାକ୍ସିନ ଟିକା ନେଇ ଏସବୁ ଦେଶକୁ ଯାତ୍ରା କରିହେବ ଏବଂ ଏଥିପାଇଁ କୌଣସି କ୍ୱାରେଂଟିନର ଆବଶ୍ୟକତା ମଧ୍ୟ ନାହିଁ । ତେବେ ଯାତ୍ରାର ୪୮ ଘଂଟା ପୂର୍ବରୁ ଆରଟିପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଦରକାର ବୋଲି ଏହି ଦେଶ ମାନଙ୍କ ପକ୍ଷରୁ କୁହାଯାଇଛି ।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ପକ୍ଷରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରିବାକୁ ଏପ୍ରିଲ ୧୯ ତାରିଖରେ ଆବେଦନ କରାଯାଇଥିଲା । କରୋନାର ମୂଳ ଭାରିଏଂଟ୍ ବିରୋଧରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ ବୋଲି ଯୁକ୍ତି ବାଢୁଛି । ଭାରତ ବାୟୋଟେକ୍ ଏପରିକି ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ଡେଲଟା ଭାରିଏଂଟ୍ ବିରୋଧରେ କୋଭାକ୍ସିନ ଟିକା ୬୫.୨ ପ୍ରତିଶତ ପ୍ରଭାବୀ ବୋଲି ପରୀକ୍ଷଣକୁ ଜଣାପଡିଛି । ଏସବୁ ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ କେବେ ସାମିଲ ହେବ ଭାରତର ପ୍ରଥମ ସ୍ୱଦେଶୀ ଟିକା କୋଭାକ୍ସିନ, ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।