• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡ ପଜିଟିଭ ହେବା ପରେ ଏହି ବଟିକା ଖାଇବେ ଆକ୍ରାନ୍ତ

  • ଲକ୍ଷଣ ଦେଖା ଦେବାର ୫ ଦିନ ଭିତରେ ଆକ୍ରାନ୍ତ ଖାଇବେ

  • ମଲନୁପିରାଭିର ହେଉଛି କରୋନା ପାଇଁ ପ୍ରଥମ ବଟିକା

  • ଖୁବ ଶୀଘ୍ର ଆମେରିକା ମଧ୍ୟ ଏହାକୁ ସ୍ୱୀକୃତି ଦେଇପାରେ

ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ନୂଆ ଅସ୍ତ୍ର । ଖୁବ ଶୀଘ୍ର ମାର୍କେଟକୁ ଆସିବ ଏହାର ଔଷଧ । ଏହି ଔଷଧର ନାଁ ହେଉଛି ମଲନୁପିରାଭିର୍ । ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଏହି ବଟିକାକୁ ଅନୁମତି ଦେଇଛି । ଆମେରିକାର ମର୍କ ଓ ରିଜୱାକ୍ ବାଓଥେରାପିଉଟିକ୍ସ ମିଳିତ ଭାବେ ଏହି ଔଷଧ ପ୍ରସ୍ତୁତ କରିଛନ୍ତି । କୋଭିଡ ପଜିଟିଭ ହେବା ସାଙ୍ଗେ ସାଙ୍ଗେ ଓ ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ ଆକ୍ରାନ୍ତଙ୍କୁ ଏହି ବଟିକା ଦିଆଯାଇପାରିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥାଇ ହୋମ ଆଇସୋଲେସନରେ ଥିବା ଲୋକମାନେ ଦିନକୁ ଦୁଇ ଥର, ଏପରି ୫ ଦିନ ଏହି ବଟିକା ଖାଇବେ।

ଡାକ୍ତରଖାନା ଗୁଡ଼ିକର ଭାର ହ୍ରାସ କରିବାରେ ଏବଂ ଗରିବ ଦେଶରେ ସଂକ୍ରମଣକୁ ରୋକିବାରେ ଏହା ସହାୟକ ହୋଇପାରେ ବୋଲି କୁହାଯାଉଛି । ଏହା ହେଉଛି କରୋନାର ପ୍ରଥମ ଔଷଧ, ଯାହାକୁ ଆକ୍ରାନ୍ତ ପାଟି ବାଟେ ଗ୍ରହଣ କରିବେ । ମଲନୁପିରାଭିର୍ ଆକ୍ରାନ୍ତର ମୃତ୍ୟୁ ଆଶଙ୍କାକୁ ଅଧା କରିଦିଏ ବୋଲି କ୍ଲିନିକାଲ ଟେଷ୍ଟରୁ ଜଣାପଡ଼ିଛି । କିଛି ଦିନ ଭିତରେ ଆମେରିକା ମଧ୍ୟ ଏହାକୁ ସ୍ୱୀକୃତି ଦେବ ବୋଲି ଜଣାପଡ଼ିଛି । କରୋନାକୁ ହରାଇ ପାରିବା ଭଳି ନିର୍ଦ୍ଦିଷ୍ଟ ଔଷଧ ଆଗରୁ ଆସିନଥିଲା । ଏହି ମହାମାରୀରୁ ରକ୍ଷା ପାଇଁ ଟିକା ହିଁ ଏକମାତ୍ର ଉପାୟ ଥିଲା । ଏବେ ଔଷଧ ବାହାରିବା ଦ୍ୱାରା କରୋନାକୁ ମାତ୍ ଦେଇ ହେବ ବୋଲି ଆଶା କରାଯାଉଛି ।

ଆମେରିକା, ୟୁରୋପ ଏବଂ ଅନ୍ୟ କେତେକ ଦେଶରେ ଏହି ଔଷଧର ସମୀକ୍ଷା କରୁଛନ୍ତି । ବଟିକାର ସୁରକ୍ଷା ଏବଂ କାର୍ଯ୍ୟକାରିତା ନିର୍ଣ୍ଣୟ କରିବା ପାଇଁ ନଭେମ୍ବର ଶେଷରେ ଏକ ପ୍ୟାନେଲ ବୈଠକ ଡକାଇବ ବୋଲି କହିଛି ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ ।