• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ ଓ ଘରୋଇ ପରିବହନ ବ୍ୟବସ୍ଥା, ଦୋକାନ, ମଲ୍, କାର୍ଯ୍ୟାଳୟ ସହ ଅନ୍ୟ ପ୍ରତିଷ୍ଠାନ ଗୁଡିକରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସ୍ଥାନ ସାନିଟାଇଜେସନ୍, ହାତକୁ ବାରମ୍ବାର ସାନିଟାଇଜ କରିବା ସହ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ଏବଂ କର୍ମଚାରୀ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ନପିନ୍ଧିଲେ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସତର୍କତା ପଦକ୍ଷେପ ସ୍ୱରୂପ ଏହି କଟକଣା ଜାରି କରିଛନ୍ତି ତେଲଙ୍ଗାନା ସରକାର । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଦେଶର ବିଭିନ୍ନ ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ଦିନକୁ ଦିନ ବୃଦ୍ଦି ପାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତୁରନ୍ତ ଏହି କଟକଣା ଜାରି ହେବା ସହ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।

ସେପଟେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯ ହଜାରରୁ ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ମୋଟ ୯ ହଜାର ୧୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ଏହି ସମସ୍ତ ଓମିକ୍ରନ ଆକ୍ରାନ୍ତ ପୁଣେରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂଖ୍ୟା ଯାହାକି ପୂର୍ବଦିନ ଅପେକ୍ଷା ୨୭ ପ୍ରତିଶତ ଅଧିକ । ମୁମ୍ବାଇ ଓ ପୁଣେ ସହରରେ ସବୁଠୁ ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ମୁମ୍ବାଇ ମହାନଗରୀରେ ୬ ହଜାର ୩୪୭ ନୂଆ କେସ୍ ଆସିଛି, ଯାହାକି ପୂର୍ବ ଦିନ ତୁଳନାରେ ସଂକ୍ରମଣ ହାରରେ ୧୨ ପ୍ରତିଶତ ଅଧିକ ।