• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ବଢ଼ୁଥିବା କରୋନାକୁ ଦେଖି ଓଡ଼ିଶା ସରକାର ତତ୍ପର । କୋଭିଡ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଜି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ବୈଠକରେ ସବୁ ଜିଲ୍ଲାର ସିଡିଏମ୍ଓଙ୍କ ସହ କୋଭିଡ୍ ବୃଦ୍ଧିକୁ ରୋକିବା ପଦକ୍ଷେପକୁ ନେଇ ଆଲୋଚନା କରାଯାଇଛି । କୋଭିଡ ଟେଷ୍ଟିଂ ବୃଦ୍ଧି କରାଯିବାସହ ପଜିଟିଭ ବାହାରିଲେ ଜିନମ୍ ସିକ୍ୟୁଏନ୍ସିଂ କରାଯିବ । ଏହାସହ ଯେଉଁମାନେ ଟିକା ନେଇ ନାହାନ୍ତି, ତୁରନ୍ତ ଟିକା ନେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଅନୁରୋଧ କରିଛନ୍ତି । ଲକ୍ଷଣ ଦେଖାଗଲା, ତୁରନ୍ତ ଟେଷ୍ଟ କରିବାକୁ ଓ ଭିଡ଼କୁ ନ ଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷେ, ଦେଶରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଏଥିରେ ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଟିକାକୁ ଗୁରୁତ୍ୱ ଦିଆଯାଇଛି।

ଏହାସହ କୋଭିଡ ନିୟମ ଯେମିତି ସାଧାରଣ ଲୋକେ ପାଳନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ୨ ସପ୍ତାହ ଭିତରେ ମହାମାରୀ ବଢ଼ୁଥିବାରୁ ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ସେ କହିଛନ୍ତି । ଗୁରୁବାର ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ପାର୍ କରିଛି । ଏଥିମଧ୍ୟରେ ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ କର୍ଣ୍ଣାଟକରେ ଦେଶର ୮୧ ପ୍ରତିଶତ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।