• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କରୋନା ଟିକା ସ୍ପୁଟନିକ୍ ଲାଇଟ୍‌କୁ ମିଲିଲା ଭାରତ ସରକାରଙ୍କ ଅନୁମତି । ଏହି ସିଙ୍ଗଲ୍ ଡୋଜ୍ କରୋନା ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଡିସିଜିଆଇ(DCGI)। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି । ଭାରତରେ ଏହା ନବମ କରୋନା ଟିକା ବୋଲି ସେ କହିଛନ୍ତି ।

ମହାମାରୀ ବିରୋଧରେ ଲଢ଼ିବାକୁ ଏହା ଦେଶକୁ ଅଧିକ ବଳ ଯୋଗାଇବ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ତଭିୟ । ଋଷିଆର ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ସ୍ପୁଟନିକ ଲାଇଟ୍‌କୁ ଭାରତରେ ଅନୁମତି ପାଇଁ ହାଇଦ୍ରାବାଦର ଫାର୍ମା କଂପାନୀ ଡକ୍ଟର ରେଡ୍ଡି ପକ୍ଷରୁ ଆବେଦନ କରାଯାଇଥିଲା ।

ନିକଟରେ ଖୁବ୍‌ଶୀଘ୍ର ଖୋଲା ବଜାରରେ ମିଳିପାରେ କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ବୋଲି ଶୁଣିବାକୁ ମିଳିଥିଲା । ଏହି ୨ଟି କୋଭିଡ୍ ଭ୍ୟାକ୍ସିନର ଖୋଲା ବଜାରରେ ବିକ୍ରି ଅନୁମତି ପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍‌ର ଆବେଦନକୁ ମଞ୍ଜୁର କରିଛି ବିଶେଷଜ୍ଞ କମିଟି । ଏଥିସହ ଚୂଡ଼ାନ୍ତ ଅନୁମୋଦନ ପାଇଁ ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା DCGIକୁ କମିଟି ସୁପାରିଶ ମଧ୍ୟ କରିଛି ।

ତେବେ ମାର୍କେଟ୍ ଅନୁମତି ପାଇଁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଥିବା ସୂଚନା ମିଳିଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା ।