• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ଆସିବ କି କୋଭିଡ୍‌ର ନୂଆ ଲହର ? କାରଣ ପୁଣି ଫଁ ଦେଖାଇଲାଣି ଅଦୃଶ୍ୟ ଭୂତାଣୁ । ଖେଳାଇଲାଣି ଆତଙ୍କ, ଗିଳିଲାଣି ଜୀବନ । ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୭ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଛନ୍ତି ୭ ହଜାର ୫୮୪ ନୂଆ ଆକ୍ରାନ୍ତ ।

ସେହିପରି ଗତ ୨୪ ଘଣ୍ଟାରେ ୨୪ ଲୋକଙ୍କ ଜୀବନ ମଧ୍ୟ ନେଇଛି ମହାମାରୀ କୋଭିଡ୍ । ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଟେଷ୍ଟିଂ ଓ ଜିନମ୍ ସିକ୍ୱେନ୍ସିଂ ବଢ଼ାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ରୋକିବାକୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ମନ୍ଥର ପଡ଼ିଥିବା ୧୨ରୁ ୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ଏକ୍ସପର୍ଟ କମିଟି ବିଚାର କରୁଥିବା ଜଣାପଡ଼ିଛି ।

ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମଣ ବଢୁଥିବା ପରିଲକ୍ଷିତ ହୋଇଛି । ଗତକାଲି ୩୧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ତତ୍ପର ହୋଇଛନ୍ତି ଓଡ଼ିଶା ସରକାର । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କୋଭିଡ୍ ଟେଷ୍ଟିଂ ବଢ଼ାଇବାକୁ ସବୁ ଜିଲ୍ଲାର ସିଡିଏମ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ଭେଲାନ୍ସ ବଢାଇବା ସହ ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରାଇବାକୁ ସତର୍କ କରାଯାଇଛି । ତେଣେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବିମାନବନ୍ଦରରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛି । ରାଜ୍ୟରେ ସଂକ୍ରମଣ ବଢିଲେ ମାସ୍କକୁ ବାଧ୍ୟତାମୂଳକ କରାଯିବ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଗହଳି ନକରିବା, ଟିକା ନେଇନଥିଲେ ତୁରନ୍ତ ଟିକା ନେବା ଏବଂ ଲକ୍ଷଣ ଦେଖାଦେବା କ୍ଷଣି ଟେଷ୍ଟିଂ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । 

ଭୂତାଣୁର ଉତ୍ପତ୍ତିସ୍ଥଳୀ ଚୀନ୍‌ରେ କରୋନା ଉଗ୍ରରୂପ ଧାରଣ କରିବା ପରେ ବେଜିଂ ଓ ସାଂଘାଇ ସମେତ ଅନ୍ୟାନ୍ୟ ବଡ଼ ସହରରେ କଠୋର କଟକଣା ଲଗାଯାଇଥିଲା । ମାତ୍ର ଏବେ ସ୍ଥିତିରେ ସୁଧାର ଆସିଛି । ଅନ୍ୟପକ୍ଷରେ ୟୁହାନ ଲ୍ୟାବ୍‌ରୁ ଭୂତାଣୁ ଲିକ୍ ହୋଇଥିଲା ନା ନାହିଁ ତାର ଆଉ ଥରେ ଯାଞ୍ଚ କରାଯିବା ଦରକାର ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବେଜିଂ ଜୋରଦାର ବିରୋଧ କରିଛି ।