• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି । ୨୪ ଘଣ୍ଟା ମଧ୍ୟରେ ୨୨୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ପ୍ରଥମରୁ ପଞ୍ଚମ ଯାଏଁ ସ୍କୁଲ ଖୋଲିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର, ସେହି ନିଷ୍ପତ୍ତି ବଦଳିବ ବୋଲି କୁହାଯାଉଛି । ଅପରପକ୍ଷେ କିଶୋରଙ୍କୁ ଟିକାକରଣ ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ନୂଆବର୍ଷ ପାଳନ ଅବସରରେ ମନ୍ଦିର ଗୁଡ଼ିକରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

ଡିସେମ୍ବର ୨୧ ରେ ଓଡ଼ିଶାରେ ଓମିକ୍ରନ୍‌ର ପ୍ରଥମ ପ୍ରବେଶ ଥିଲା । ସେଦିନ ଏକାସଙ୍ଗେ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ୮ଦିନର ବ୍ୟବଧାନ ପରେ ଏହି ସଂଖ୍ୟା ଆଜି ୯ରେ ଛୁଇଁଛି । ୟୁଏଇରୁ ଫେରିଥିବା ଜଣେ ୩୧ ବର୍ଷ ବୟସ୍କ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଶୁଣିବାକୁ ମିଳିଛି । ସେ କରୋନା ପଜିଟିଭ ଥିଲେ ଏବଂ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ଆକ୍ରାନ୍ତ ଥିବାର ଜଣାପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ସ୍ୱଳ୍ପ ଲକ୍ଷଣ ରହିଥିଲେ ମଧ୍ୟ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ବାପା, ମାଙ୍କ ପ୍ରାଥମିକ ରିପୋର୍ଟ ନେଗେଟିଭ୍ ଆସିଛି । ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେପଟେ ବଡ଼ଦିନ ପରଠୁ ଅର୍ଥାତ ୨୬ ତାରିଖରୁ ଧିରେ ଧିରେ ଉପରମୁହାଁ ହେଉଛି କରୋନା । ୨୬ ତାରିଖରେ ୧୧୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪ ଦିନ ମଧ୍ୟରେ ୫୦ ପ୍ରତିଶତ ପାଖାପାଖି ବଢ଼ି ୨୨୧ରେ ପହଞ୍ଚିଛି । ଓମିକ୍ରନ୍ ବନାମ କରୋନାର ଏହି ଉପରମୁହାଁ ଟ୍ରେଣ୍ଡ ଭିତରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ବଦଳିପାରେ ବୋଲି କହିଛନ୍ତି ଡିଏମ୍ଇଟି ରମାରମଣ ମହାନ୍ତି । କ୍ରମାଗତ ବଢୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଏବେ ସ୍କୁଲ ଖୋଲିନପାରେ ବୋଲି ଡିଏମ୍‌ଇଟି କହିଛନ୍ତି ।

ଏପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ପରେ ଅଭିଯାନକୁ ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସ୍ୱତନ୍ତ୍ର ସେସନ୍ ସାଇଟ୍ କରାଯିବା ସହ କିଛି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଜାନୁୟାରୀ ୩ରୁ ସକାଳ ୮ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ୧୫ ବର୍ଷରୁ ୧୮ ବର୍ଷର କିଶୋରଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ । ତାପୂର୍ବରୁ ଜାନୁୟାରୀ ୧ରୁ ଏନେଇ ପଂଜିକରଣ କରାଯିବ । ଅନ୍ୟ ପରିଚୟ ପତ୍ର ସହ ସ୍କୁଲ ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀ ଟିକା ନେଇପାରିବେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବୋଲି କହିଛନ୍ତି ।

ଆଗକୁ ନୂଆବର୍ଷ ତେଣୁ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସମ୍ଭାବ୍ୟ ଭିଡ଼କୁ ଦେଖି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ରୁ ଜାନୁୟାରୀ ୨ ଯାଏଁ ପୁରୀ ଶ୍ରୀମନ୍ଦିର, ଘଟଗାଁ ତାରିଣୀ, ଭଦ୍ରକ ଆଖଣ୍ଡଳମଣି ଏବଂ ଆସନ୍ତାକାଲିଠାରୁ ଜାନୁୟାରୀ ୨ ଯାଏଁ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ରିପୋର୍ଟର- ହରିହର ଚାନ୍ଦ