Advertisment

କିଶୋର ଟିକାକରଣ ନେଇ କେନ୍ଦ୍ର ଗାଇଡଲାଇନ୍ ଅପେକ୍ଷାରେ ରାଜ୍ୟ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ।

author-image
Chandan Shishu
Omicron Guidelines

Omicron Guidelines

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ। ୮ରେ ପହଞ୍ଚିଲା ରାଜ୍ୟର ମୋଟ ଓମିକ୍ରନ୍ କେସ୍। ଆଜି ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଓ ଅନ୍ୟ ୨ ଜଣ UAE ଫେରନ୍ତା। ଆଶ୍ୱସ୍ତିର ବିଷୟ, ଚିହ୍ନଟ ହୋଇଥିବା ୪ ଓମିକ୍ରନ୍ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସେମାନଙ୍କ ଭିତରୁ ଜଣେ କୋଭିଡ୍‌ରୁ ସୁସ୍ଥ ହୋଇସାରିଲେଣି, ଅର୍ଥାତ୍ ତାଙ୍କ ରିପୋର୍ଟ ଟେଷ୍ଟ ନେଗେଟିଭ୍ ଆସିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହି ୪ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କ RTPCR ଟେଷ୍ଟ ହୋଇଛି। ବାହାର ରାଷ୍ଟ୍ରରୁ ଆସୁଥିବା ସବୁ ବ୍ୟକ୍ତିଙ୍କର ଟେଷ୍ଟ କରାଯାଉଛି। ପଜିଟିଭ ବାହାରିଲେ, ସେସବୁ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ପଠାଯିବ। ତେଣୁ ଓମିକ୍ରନ୍‌କୁ ନେଇ ଆତଙ୍କିତ ହେବାର କାରଣ ନାହିଁ। 

Advertisment

ଗୋଟିଏ ପଟେ ଓମିକ୍ରନ୍‌କୁ ନେଇ ଭୟ ବଢ଼ୁଥିବା ବେଳେ ଆଶ୍ୱସ୍ତ କରିଛି ପ୍ରଧାନମନ୍ତ୍ରୀଙ୍କ ଟିକାକରଣ ସମ୍ପର୍କିତ ଘୋଷଣା। ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ କିଶୋରଙ୍କ ଟିକାକରଣ ଆରମ୍ଭ ହେବ। ଏହାଛଡ଼ା ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟକର୍ମୀ ଓ ବହୁବିଧ ରୋଗରେ ପୀଡ଼ିତ ବୟସ୍କ ବ୍ୟକ୍ତିଙ୍କୁ ପ୍ରିକ୍ସନାରୀ ଡୋଜ୍ ବା ପ୍ରତିଷେଧମୂଳକ ଡୋଜ୍ ଦିଆଯିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ସବିଶେଷ ଗାଇଡଲାଇନ୍ ଆସିବା ପରେ ଆରମ୍ଭ ହେବ ଟିକାକରଣ। ଏଥିଲାଗି ରାଜ୍ୟରେ ପର୍ଯ୍ୟାପ୍ତ ମାନବସମ୍ବଳ ଅଛନ୍ତି, ଆବଶ୍ୟକ ପଡ଼ିଲେ ଅଧିକ ମାନବସମ୍ବଳ ନିଯୁକ୍ତ କରାଯିବ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ବିଦେଶରେ ପୂର୍ବରୁ ଶିଶୁଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଆମ ଦେଶରେ ପିଲାଙ୍କ ଟିକାକରଣ ଆରମ୍ଭ ହେଲେ ଅଭିଭାବକଙ୍କ ଆଶଙ୍କା ଦୂର ହେବ। ଅପରପକ୍ଷରେ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବାର ୬ ମାସ ବିତିଥିବା ଲୋକଙ୍କ ରୋଗ ପ୍ରତିଷେଧକ ଶକ୍ତି ସାମାନ୍ୟ କମିଥିବ। ଏଣୁ ଏଭଳି ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ୍ ବହୁତ ଜରୁରୀ ଥିଲା।  

Advertisment

ବର୍ତ୍ତମାନ ସୁଦ୍ଧା ଶିଶୁଙ୍କ ଟିକାକରଣ ଲାଗି ଡିସିଜିଆଇ ଜାଇଡସ୍ କାଡ଼ିଲାର ଜାଇକଭ୍-ଡି ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ଅନୁମୋଦନ ଦେଇଛି। ସେପଟେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶରୁ ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କର୍ଣ୍ଣାଟକ ସରକାର ଆସନ୍ତା ୨୮ ତାରିଖରୁ ୧୦ ଦିନିଆ ନାଇଟ୍ କଫ୍ୟୁ ଘୋଷଣା କରିଛନ୍ତି।

ରିପୋର୍ଟ: ବିଶ୍ୱଜିତ ଆଚାର୍ଯ୍ୟ ଓ କପିଳେନ୍ଦ୍ର ପ୍ରଧାନ

Omicron Cases In Odisha COVID19 Omicron Variant
Advertisment
Advertisment