• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ପ୍ରିକସନ୍ ଡୋଜ୍ ଦେବାକୁ ଘୋଷଣା କରିଛନ୍ତି ସରକାର । ହେଲେ ଟିକାକରଣ କେନ୍ଦ୍ରର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ସରକାରଙ୍କ ଘୋଷଣା ପରେ ଟିକା ନେଇ ନିଜକୁ କୋଭିଡ୍‌ରୁ ସୁରକ୍ଷା ଦେବାକୁ ଟିକାକରଣ କେନ୍ଦ୍ରରେ ଲୋକଙ୍କ ଭୀଷଣ ଭିଡ଼ । କିନ୍ତୁ ଟିକାର ଘୋର ଅଭାବ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ରାଜ୍ୟର ଅନେକ ଟିକାକରଣ କେନ୍ଦ୍ରରେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟିକା ନେବାକୁ ଶହ ଶହ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । କିନ୍ତୁ ଅଫ୍ଲାଇନ୍‌ରେ ଟିକା ନେବାକୁ ଅପେକ୍ଷା କରିଥିବା ମାତ୍ର ୧୦ ଜଣଙ୍କୁ ଟିକା ଦିଆଯିବା ପରେ ଟିକା ସରି ଯାଇଥିବା କୁହାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ହେଲେ ବାଲେଶ୍ୱର ସୁନହଟ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଏ ଅସନ୍ତୋଷ ‌ଆଉ ଟିକେ ଉଗ୍ର ରୂପ ନେଇଛି । ଟିକା ନ ପାଇବାରୁ ଲୋକେ କେନ୍ଦ୍ର ଭିତରେ ଥିବା କର୍ମଚାରୀଙ୍କୁ ତାଲା ପକାଇ ଅଟକ ରଖିଥିଲେ । ସୋପଟେ ଟିକାକରଣ କେନ୍ଦ୍ର ଅଧିକାରୀଙ୍କ କହିବା କଥା, ଟିକା ନେବାକୁ ଯେତିକି ଲୋକ ଆସୁଛନ୍ତି, ସେହି ଅନୁପାତରେ ଟିକା ନାହିଁ । ତେଣୁ ବାଧ୍ୟହୋଇ କେବଳ ଅନ୍‌ଲାଇନ୍ ପଞ୍ଜୀକରଣ କରୁଥିବା ଲୋକଙ୍କୁ ହିଁ ଟିକା ଦିଆଯାଉଛି ।

ଏପଟେ ଆଜି ରାଜ୍ୟରେ ଦ୍ୱିତୀୟ ଦିନ ପାଇଁ ହଜାରେ ଡେଇଁଛି ଦୈନିକ କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୬୫ ନୂଆ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ କୋଭିଡ୍ ରୋଗୀଙ୍କ ମଧ୍ୟରୁ ପୂର୍ବଭଳି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଦୈନିକ ସଂକ୍ରମଣ ସହ ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୫ ହଜାର ୩୭୬ରେ ପହଞ୍ଚିଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ଓଡ଼ିଶାରେ ବି ସଂକ୍ରମଣ ଉପରମୁହାଁ । ହେଲେ ପୂର୍ବ ଲହର ଭଳି ସ୍ଥିତି ରାଜ୍ୟରେ ନାହିଁ । ଯେଉଁମାନଙ୍କର କୋମର୍ବିଡିଟି ଅଛି ବା ବୟସ୍କ ଲୋକ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ଭିତରୁ ଆଇସିୟୁରେ ରହିବା ଲୋକଙ୍କ ସଂଖ୍ୟା ଅଧିକ ।

ସେପଟେ ଶ୍ରାବଣ ମାସରେ ଜଳଲାଗି ନିମନ୍ତେ ଶିବ ମନ୍ଦିରରେ କାଉଡ଼ଇାଙ୍କ ଗହଳି ଲାଗିବାକୁ ଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ତେବେ ଏସବୁ ଭିତରେ କୋଭିଡ୍‌ରେ ଚିକିତ୍ସିତ ହୋଇ ଗତକାଲି ଘରକୁ ଫେରିଥିବା ଯାଜପୁର ଉମାପଦା ଅଞ୍ଚଳର ଜଣେ ଯୁବକଙ୍କର ଆଜି ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ଆଜି ସକାଳେ ତାଙ୍କୁ ଡାକ୍ତରଖାନା ନିଆଯିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ତେବେ ଯୁବକଙ୍କ ମୃତ୍ୟୁ କୋଭିଡ୍ ଦ୍ୱାରା ହୋଇଛି କି ନାହିଁ ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ଯାଜପୁର ସିଡିଏମଓ ।