• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ୧୬ ହଜାରକୁ ପାର କରିଛି । ଆଜି କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି । ଗତକାଲି ୧୩ ହଜାର ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶର ଓମିକ୍ରନ୍ ଟାଲି ବି ବଢ଼ିଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଓମିକ୍ରନ୍ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।

ସେହିପରି ଦେଶରେ ୨୪ ଘଣ୍ଟାରେ ୨୨୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ କରାଯାଇଛି ।ଏହାପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୪ ଲକ୍ଷ ୮୧ ହଜାର ୮୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି । ୨୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଓମିକ୍ରନ ବ୍ୟାପିବାରେ ଲାଗିଛି ।

ଗତକାଲି ଓଡିଶାରେ ୫ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ,ଏମାନଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା ରହିଛନ୍ତି । ସେମାନେ କତାର, କଙ୍ଗୋ, ୟୁଏଇ ଆଦି ଦେଶରୁ ଫେରିଛନ୍ତି। ହେଲେ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି କିନ୍ତୁ ସେ କେବଳ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିଲେ।

ବିଦେଶ ଫେରନ୍ତା ସମସ୍ତ ୫ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଥିରୁ ଜଣକର ପଜିଟିଭ ମିଳିଛି, ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି। ବର୍ତ୍ତମାନ ସମସ୍ତ ଆକ୍ରାନ୍ତମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।