• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ:ଦେଶରେ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଓମିକ୍ରନରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି । ସେପଟେ ଦେଶରେ ଦିନକରେ ୬୫୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭ ହଜାର ୧୪୧ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍ ସଂଖ୍ୟା ୭୫ ହଜାର ୮୪୧ ରହିଥିବାବେଳେ ୯୮ ଦଶମିକ ୪ ପ୍ରତିଶତ ରିକଭରି ରେଟ୍ ରହିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ରାଜ୍ୟର ଆଜିର ପଜିଟିଭଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମଗ୍ର ଦେଶରେ କ୍ରମାଗତ ଭାବରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେତିକି ବିଦେଶ ଫେରନ୍ତା ଆସିଛନ୍ତି ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ପଜିଟିଭ ବାହାରିଥିଲା । ସେଥିମଧ୍ୟରୁ ୮ ଜଣ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ଜଣଙ୍କର ନେଗେଟିଭ ଆସିଛି । ଅନ୍ୟ ରାଜ୍ୟ ତୁଳନାରେ ବର୍ତ୍ତମାନ ଓଡ଼ିଶାର ସ୍ଥିତି ଭଲ ଥିବା ଜଣାପଡିଛି । ତେଣୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କର୍ଫ୍ୟୁ କି ଲକଡ଼ାଉନ ଭଳି କଟକଣାର କିଛି ଆବଶ୍ୟକତା ପଡିନାହିଁ । ହେଲେ ଆଗାମୀଦିନରେ ପଜିଟିଭ୍‌ ସଂଖ୍ୟା ବଢ଼ିଲେ କଟକଣା ଲାଗୁ ହେବାର ଆଶଙ୍କା କରାଯାଉଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ ହସ୍ପିଟାଲାଇଜେନସେନ ଓ ସଂକ୍ରମଣ ବଢିଲେ ଏହିଭଳି ନିୟମର ଆବଶ୍ୟକ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସୂଚନା ଅନୁସାରେ, ଓମିକ୍ରନ୍ ଭାରିଆଣ୍ଟର ଆତଙ୍କ ଭିତରେ ଆଜିଠୁ ନୂଆଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ କରୋନାର ପଜିଟିଭିଟି ରେଟ୍ ୦.୫ ପ୍ରତିଶତକୁ ଟପିଛି । କ୍ରମାଗତ ବଢୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି କେଜରିୱାଲ ସରକାର ଆଜିଠୁ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି । କେବଳ ଦିଲ୍ଲୀ ନୁହେଁ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ଆସାମ୍, ହରିୟାଣା ଓ ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି ।