• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୟପୁର : ହାରିଲା ଓମିକ୍ରନ୍, ଜିତିଲେ ସଂକ୍ରମିତ । ରାଜସ୍ଥାନର ରାଜଧାନୀ ଜୟପୁରର RUHS ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓମିକ୍ରନ୍ ଭାରିଆଣ୍ଟର ସମସ୍ତ ୯ ଜଣ ଯାକ ରୋଗୀ କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ଏହି ସୂଚନା ଦେଇଛି । ସମସ୍ତ ରୋଗୀଙ୍କୁ ଡିସେମ୍ବର ୫ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତଙ୍କୁ ଡିସଚାର୍ଜ କରାଯାଇଛି ଏବଂ ୭ ଦିନ ପାଇଁ ଘର କ୍ୟାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ନଭେମ୍ବର ୨୫ରେ ୪ ଜଣିଆ ଏକ ପରିବାର ଦକ୍ଷିଣ ଆଫ୍ରିକାରୁ ଜୟପୁରକୁ ଆସିଥିଲେ । ଆନ୍ତର୍ଜାତୀୟ ଯାତ୍ରାରୁ ଫେରିଥିବା ଏହି ପରିବାର ସେହି ଦିନ ହିଁ ଆଦର୍ଶ ନଗରରେ ରହୁଥିବା ୫ଜଣଙ୍କୁ ଭେଟିଥିଲେ । ଏହା ପରେ ଡିସେମ୍ବର ୫ରେ ସମସ୍ତ ୯ଜଣ ବ୍ୟକ୍ତି କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନରେ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା ।

ତେବେ ଚିକିତ୍ସିତ ହେବା ପରେ ସମସ୍ତ ରୋଗୀଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଡଃ ସୁଧୀର ଭଣ୍ଡାରୀ କହିଛନ୍ତି । ଗୋଟିଏ ପରେ ଗୋଟିଏ କରାଯାଇଥିବା ଦୁଇଟି କୋଭିଡ ଟେଷ୍ଟରେ ସେମାନଙ୍କର ରିପୋର୍ଟ ନେଗେଟିଭ୍ ‌ଆସିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି ।

ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ପରିବାରରେ ଜଣେ ୪୮ ବର୍ଷ ବୟସ୍କା ମହିଳା ଅଛନ୍ତି, ସେ ଫାଟକ ଅଞ୍ଚଳର ବାସିନ୍ଦା । ଏହା ବ୍ୟତୀତ ସେହି ପରିବାରରେ ୩୮ ବର୍ଷ ବୟସ୍କା ମହିଳା , ୧୨ ଏବଂ ୭ ବର୍ଷର ଦୁଇ ଶିଶୁ ଥିଲେ । ଭ୍ରମଣରୁ ଫେରିବା ପରେ ପରିବାର ଲୋକ ଆଦର୍ଶ ନଗରରେ ରହୁଥିବା ସମ୍ପର୍କୀୟଙ୍କୁ ଭେଟିଥିଲେ । ଏହି ପାଞ୍ଚ ସମ୍ପର୍କୀୟଙ୍କ ମଧ୍ୟରେ ୧୬ ବର୍ଷ ବୟସର ଜଣେ ଝିଅ ଏବଂ ୭୧ ବର୍ଷ ବୟସ୍କା ଜଣେ ବୃଦ୍ଧ ମହିଳା ଅଛନ୍ତି । ଆଫ୍ରିକାରୁ ଫେରିଥିବା ପରିବାର କୋଭିଡଙ୍କ ଶିକାର ହେବା ପରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।