Advertisment

ଦେଶରେ ବଢୁଛି କୋଭିଡ ପଜିଟିଭ୍ ସଂଖ୍ୟା, ଆସିଗଲା କି ତୃତୀୟ ଲହର!

ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।

author-image
Otv Khabar Bureau
Omicron

Omicron

ଦେଶର କରୋନା ସ୍ଥିତିକୁ ବିଗାଡ଼ିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍ । ଗତ ୨୪ ଘଣ୍ଟା ଭିତରେ ୯ ହଜାର ୧୯୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଏହା ଗତ ୩ ସପ୍ତାହ ଭିତରେ ସର୍ବାଧିକ । ଏପଟେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୮୧କୁ ବୃଦ୍ଧି ପାଇଛି । ଆଗକୁ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରୁଥିବା ବେଳେ, ସ୍ଥିତିକୁ ସମ୍ଭାଳିବା ପାଇଁ ଦିଲ୍ଲୀରେ ଗତକାଲି ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ, ଅନ୍ୟ ରାଜ୍ୟମାନେ ମଧ୍ୟ ବିଭିନ୍ନ କଟକଣା ସଂପର୍କରେ ଚିନ୍ତା କରୁଛନ୍ତି ।

Advertisment

ମେଟ୍ରୋ ଷ୍ଟେସନ୍‌ରେ ଲମ୍ବା ଲାଇନ୍, ବସ୍ ଷ୍ଟାଣ୍ଡ୍ରେ ଗହଳି, ପବ୍ଲିକ୍ ଟ୍ରାନ୍ସପୋର୍ଟରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ବୋଲି କଟକଣା ଲାଗୁ ହେବା ପରେ, ଦିଲ୍ଲୀର ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି ।

ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।

Advertisment

ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ସହ ସଂକ୍ରମଣ ବଢ଼ୁଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ଏପଟେ ମୁମ୍ବାଇରେ ମଧ୍ୟ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ଶହ ୧୦ ନୂଆ ଆକ୍ରାନ୍ତ । ଗତକାଲି ଠାରୁ ୮୨ ପ୍ରତିଶତ ଅଧିକ ଏବେ ମୁମ୍ବାଇରେ ପଜିଟିଭିଟି ରେଟ୍ ୪ ପ୍ରତିଶତ ଥିବା ବେଳେ, ୫ ପ୍ରତିଶତ ଉପରକୁ ଗଲେ କଟକଣା ଲାଗୁ କରିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ସେପଟେ ଗୋଆରେ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ବା ୨ ଡୋଜ୍ ଟିକା ନେଇଥିଲେ ହିଁ ପାର୍ଟିକୁ ଯିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି ।

ଭାରତରେ ଦୈନିକ ସଂକ୍ରମଣ ୪୪ ପ୍ରତିଶତ ବୃଦ୍ଧି ସହ ୯ ହଜାର ୧୯୫ରେ ପହଞ୍ଚିଛି । ଏହା ଗତ ୩ ସପ୍ତାହ ମଧ୍ୟରେ ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ୭୮୧କୁ ବଢ଼ିଛି । ଏଭଳି ସ୍ଥିତିରେ ଆସନ୍ତା କିଛି ଦିନ ଭିତରେ, ବା ଚଳିତ ସପ୍ତାହରେ ହିଁ ଦେଶରେ ଦୈନିକ ସଂକ୍ରମଣ ବିସ୍ଫୋରକ ଗତିରେ ବୃଦ୍ଧି ପାଇପାରେ ବୋଲି ଆକଳନ କ୍ୟାମ୍ବ୍ରିଜ୍ ଟ୍ରାକର୍ କରିଛି । ତେବେ ଏହା ଅପେକ୍ଷାକୃତ ଅଳ୍ପ ଦିନ ପାଇଁ ରହିବ ବୋଲି କହିଛନ୍ତି କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ପଲ୍ କଟ୍ଟୁମ୍ୟାନ୍ । ସେପଟେ ଏକ ଆଶ୍ୱସ୍ତିକର ଖବର ହେଉଛି, ଆମେରିକାର କିଛି ବୈଜ୍ଞାନିକ ଓମିକ୍ରନକୁ ନିଷ୍କ୍ରିୟ କରୁଥିବା ଆଣ୍ଟିବଡି ଚିହ୍ନଟ କରିଥିବା ଦାବି କରିଛନ୍ତି । ଏହା ଭବିଷ୍ୟତର ସମସ୍ତ ଭାରିଆଣ୍ଟ୍ ବିରୋଧରେ କାମ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି ।

ଆମେରିକା ଓ ବ୍ରିଟେନରେ ଓମିକ୍ରନ୍ ଯୋଗୁଁ ନିଇତି ସଂକ୍ରମଣ ନୂଆ ନୂଆ ରେକର୍ଡ ଭାଙ୍ଗୁଥିବା ବେଳେ, ସ୍ପେନରେ ଷଷ୍ଠ ଲହର ଆସିଲାଣି । ତେଣୁ ଭାରତକୁ ପୁଣିଥରେ କରୋନା ବିଭୀଷିକାରୁ ରକ୍ଷା କରିବା ପାଇଁ ସରକାରଙ୍କ ସହ ସାଧାରଣ ଜନତାଙ୍କୁ ବି ସତର୍କ ଓ ସଚେତନ ହେବାର ଆବଶ୍ୟକତା ରହିଛି ।

Omicron Corona Third Wave
Advertisment
Advertisment