• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରିପୋର୍ଟ-କପିଳେନ୍ଦ୍ର ପ୍ରଧାନ): ରାଜ୍ୟରେ ଅପ୍‌ୱାର୍ଡ ଟ୍ରେଣ୍ଡରେ କରୋନା ସଂକ୍ରମଣ । ଆଜି ହଠାତ୍ ଦୈନିକ ସଂକ୍ରମଣ ୪୨ ପ୍ରତିଶତ ବଢ଼ି ୭ ହଜାର ଟପିଛି । ସ୍ୱାସ୍ଥ୍ୟ ବିଭାଗର କହିବା କଥା, ରାଜ୍ୟରେ ଚାଲିଛି ଅପ୍‌ୱାର୍ଡ ଟ୍ରେଣ୍ଡ । ତେବେ ଆଶ୍ୱସ୍ତ କରିଛି ୯୫ ଭାଗ ସଂକ୍ରମିତଙ୍କ ହୋମ୍ ଆଇସୋଲେସନ୍ । ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୯୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ବେଳେ ଜୋରଦାର ହୋଇଛି କିଶୋର ଓ ବୁଷ୍ଟର ଡୋଜ୍ ଟିକାକରଣ ।

ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା ୨ ହଜାର ୨୪୧ ଅଧିକ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା, ଏବେ ରାଜ୍ୟରେ ଉପରମୁହାଁ ଟ୍ରେଣ୍ଡରେ କୋଭିଡ୍ ସଂକ୍ରମଣ । ତାକୁ ନେଇ ଚିନ୍ତିତ ହେବାର କାରଣ ନାହିଁ ।ସରକାରଙ୍କ କଟକଣା ଅନୁସାରେ ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣ ସବୁ କିଛି ଚାଲିଛି । ତେବେ ଆଶ୍ୱସ୍ତିର ବିଷୟ, ରାଜ୍ୟର ୨୦ ହଜାର ଆକ୍ଟିଭ୍ କେସ୍ ମଧ୍ୟରୁ ପାଖାପାଖି ୧୯ ହଜାର ହୋମ୍ ଆଇସୋଲେସନ୍‌ରେ ଅଛନ୍ତି । ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ହସ୍ପିଟାଲ ବେଡ୍ ବି ବଢ଼ାଯାଉଛି ।

 

ଏପଟେ ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୬୮ ହଜାର ୬୩ ଜଣ କରୋନା ଆକ୍ରାନ୍ତ । ତେବେ ଗତକାଲିର କେସ୍ ଠାରୁ ଏହା ୧୧ ହଜାର ୬୬୦ କମ୍  କିନ୍ତୁ ଆଜି କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ୨୭୭ ଆକ୍ରାନ୍ତ । ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୪ ହଜାର ୪୬୧ରେ । ସେପଟେ ବିନା ଜିନମ୍ ସିକ୍ୱେନ୍ସିଂରେ ସିଧାସଳଖ ଓମିକ୍ରନ୍ ଚିହ୍ନଟ ଲାଗି ପର୍ଯ୍ୟାପ୍ତ ପରିମାଣର ଓମିସିୟୋର RT-PCR ଟେଷ୍ଟ କିଟ୍ ଲାଗି ଟାଟା ମେଡିକାଲ ଆଣ୍ଡ ଡାଏଗ୍ନୋଷ୍ଟିକ୍ସକୁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ସେଥିରୁ କେତେ ମିଳିବ, ତାହା କହିବା ମୁସ୍କିଲ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । 

ଏସବୁ ଭିତରେ ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟରେ ଜୋରଦାର ହୋଇଛି ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ସ୍ୱାଭାବିକ ଟିକାକରଣ କାର୍ଯ୍ୟକ୍ରମ ସହ କିଶୋର ଓ ବୁଷ୍ଟର ଡୋଜ୍ ପ୍ରଦାନ ବି ଜାରି ରହିଛି । ଆଜି ସୁଦ୍ଧା ରାଜ୍ୟରେ ୫ କୋଟି ୨୮ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଆସରିଛି । ୯୨ ପ୍ରତିଶତ ଯୋଗ୍ୟ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୬୮ ପ୍ରତିଶତ ଉଭୟ ଡୋଜ୍ ନେଇସାରିଲେଣି ।