Advertisment

ଅନଲକ୍‌ ହେଲା ଓଡ଼ିଶା: କିନ୍ତୁ ପୁଣି ଥରେ ନିରାଶ ହେଲେ ଯାତ୍ରା ପାର୍ଟି ମାଲିକ ଓ କଳାକାର

ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪, ୫୫୬, କଟକ ଜିଲ୍ଲାରେ ୨, ୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର।

author-image
Sarbeswar
ଅନଲକ୍‌ ହେଲା ଓଡ଼ିଶା: କିନ୍ତୁ ପୁଣି ଥରେ ନିରାଶ ହେଲେ ଯାତ୍ରା ପାର୍ଟି ମାଲିକ ଓ କଳାକାର

Corona

ଭୁବନେଶ୍ୱର: ନୂଆ ଗାଇଡଲାଇନ୍‌ ସହ ଆଜିଠାରୁ ଖୋଲିଛି ସାରା ଓଡ଼ିଶା। ତେବେ କୋଭିଡ୍ ଆକ୍ଟିଭ କେସ୍ ଅଧିକ ଥିବାରୁ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍‌ ବଳବତ୍ତର ରହିଛି। ଏ ତିନି ସହରକୁ ଫୋକସରେ ରଖି ଏଠାରେ ସର୍ଭିଲାନସ୍ ବଢାଇବା ସହ ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ କୋଭିଡ୍ ନିୟମ ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ତିନି ସହରରେ ସପ୍ତାହାନ୍ତ ସଟଡାଉନ୍ ଏବଂ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ଥିବାରୁ ଯାତ୍ରା ପାର୍ଟି ମାଲିକ ଓ କଳାକାର ନିରାଶ ହୋଇଛନ୍ତି। ହୋଟେଲ୍ ଓ ସିନେମା ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ବିଶେଷ ବି ପୁରା ଖୁସି ନୁହଁନ୍ତି।

Advertisment

ଭୁବନେଶ୍ୱର, କଟକ ଓ ପୁରୀ... ତିନି ମାସର କଟକଣା ପରେ ବି ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ସ୍ଥିତିକୁ ଫେରିନି ରାଜ୍ୟର ଏହି ତିନି ପ୍ରମୁଖ ସହର। ଅଗଷ୍ଟ ଗାଇଡଲାଇନ୍ ଅନୁସାରେ ଏଠାରେ ସପ୍ତାହନ୍ତ ସଟଡାଉନ୍‌ ବଳବତ୍ତର ରହିଛି। ସେହିପରି ମଲ୍, ରେସ୍ତୋରାଁ, ସିନେମା ହଲ୍ ଖୋଲିବାକୁ ଯଦିଓ ଅନୁମତି ମିଳିଛି ତେବେ ଗ୍ରାହକଙ୍କୁ ଟିକାକରଣ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ। ତେବେ କାହିଁକି ଏଭଳି ସ୍ଥିତି? ସାରା ରାଜ୍ୟରେ ସଂକ୍ରମଣ କମୁଥିଲେ ବି ଭୁବନେଶ୍ୱର-କଟକରେ କିନ୍ତୁ ଆଖିଦୃଶିଆ ଭାବେ କମିନି।

Advertisment

ରାଜ୍ୟରେ ଏବେ ବି ପ୍ରାୟ ୧୫ ହଜାର ଉପରେ ଆକ୍ଟିଭ୍ କେସ୍ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪, ୫୫୬, କଟକ ଜିଲ୍ଲାରେ ୨, ୦୨୬ ଓ ପୁରୀ ଜିଲ୍ଲାରେ ୯୬୨ ଆକ୍ଟିଭ୍ କେସ ରହିଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୪୨୨ ଓ କଟକ ସହରରେ ରହିଛି ୧୧୩୨ ଆକ୍ଟିଭ୍ କେସ୍। ପ୍ରଶାସନିକ ଓ ବ୍ୟାବସାୟିକ କାର୍ଯ୍ୟ ବ୍ୟତୀତ ମେଡିକାଲ ସେବା ଓ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ଏ ତିନି ସହରରେ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି। ତେଣୁ ଏହା ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର।

ସେପଟେ ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା। ଭୁବନେଶ୍ୱର, କଟକ ଓ ପୁରୀ ସହରକୁ ଛାଡ଼ିଦେଲେ ଉପକୂଳର ଅନ୍ୟ ଅଞ୍ଚଳରୁ ସପ୍ତାହାନ୍ତ ସଟଡାଉନ୍ ହଟିଯିବା ସହ ସଂଧ୍ୟା ୮ଟା ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। ଫଳରେ ପ୍ରାୟ ତିନି ମାସ ପରେ ସଂଧ୍ୟା ସମୟରେ ଚଳପ୍ରଚଳ ହୋଇଛି ବଜାର। ସେହିପରି ମଲ୍ ଓ ରେସ୍ତୋରାଁଗୁଡ଼ିକ ୫୦ ପ୍ରତିଶତ କ୍ଷମତାକୁ ନେଇ ଖୋଲିବା ପରେ ଏଠାକୁ ବି ଗ୍ରାହକଙ୍କ ଆଗମନ ଆରମ୍ଭ ହୋଇଛି। ସିନେମା ହଲଗୁଡ଼ିକ ବି ଖୋଲିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ତିନି ସହରରେ ଏବେ ବି ସପ୍ତାହାନ୍ତ କଟକଣା ବଳବତ୍ତର ରହିବ ଓ ରାତି ୮ଟା ଯାଏଁ ବ୍ୟବସାୟ ପାଇଁ ଅନୁମତି ମିଳିଥିବାରୁ ସିନେମା ଓ ହୋଟେଲ୍ ବ୍ୟବସାୟ ସହ ଜ଼ଡ଼ିତ ବ୍ୟବସାୟୀ ପୁରା ଖୁସି ନୁହଁନ୍ତି। ତେଣେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବାରୁ ଯାତ୍ରା କେମିତି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରା କଳାକାର।

ଗୋଟିଏ ପଟେ ଜୀବୀକାକୁ ଦୃଷ୍ଟିରେ ରଖି ଅନଲକ୍‌ ପ୍ରକ୍ରିୟାକୁ ଯାଇଛନ୍ତି ରାଜ୍ୟ ସରକାର। କିନ୍ତୁ ଏମିତି କିଛି କଟକଣା ରହିଛି ଯାହାକି ଜୀବୀକାକୁ ପ୍ରଭାବିତ କରିବ। ଏ ଦିଗ ଉପରେ ଆଗାମୀ ଦିନରେ କି ପଦକ୍ଷେପ ନିଆଯାଉଛି ଏବଂ ଅନଲକ୍‌ ଦ୍ୱାରା କୋଭିଡ୍ ସଂକ୍ରମଣ ବଢୁଛି ନା ନାହିଁ ତା ଉପରେ ନଜର ରହିବ।

Odisha Coronavirus COVID19
Advertisment
Advertisment