• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ପୁଣି ମାତିଲାଣି ମହାମାରୀ । ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୮୦୪ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ସପ୍ତାହକ ତଳେ, ଅର୍ଥାତ୍ ଜୁଲାଇ ୮ରେ ୪୭୦ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ୭ ଦିନ ଭିତରେ ଦୈନିକ ସଂକ୍ରମଣ ୭୧ ପ୍ରତିଶତ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୦୭ ଓ କଟକରୁ ୧୧୯ ଜଣ ରହିଥିବା ଜଣାପଡିଛି ।

ଏଥିସହିତ ରାଜ୍ୟର ମୋଟ୍ ଆକ୍ଟିଭ୍ କେସ୍ ୪ ହଜାର ୨୬୨ରେ ପହଞ୍ଚିଛି । ଏହାର ୪୦ ପ୍ରତିଶତ ବା ୧ ହଜାର ୬୯୪ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାର । ଟେଷ୍ଟ ପଜିଟିଭିଟି ରେଟ୍ ବା ଟିପିଆର୍ ଆଧାରରେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ଏବେ ରେଡ୍ ଜୋନ୍‌ରେ । ଏହିସବୁ ଜିଲ୍ଲାରେ ଯେତିକି ଲୋକଙ୍କ କୋଭିଡ୍ ପରୀକ୍ଷା ହେଉଛି, ସେମାନଙ୍କ ମଧ୍ୟରୁ ୭.୫ ପ୍ରତିଶତରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ୫ ପ୍ରତିଶତରୁ ୭.୫ ପ୍ରତିଶତ ମଧ୍ୟରେ ଟିପିଆର୍ ଥିବା ସମ୍ବଲପୁର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲା ୟେଲୋ ଜୋନ୍‌ରେ ରହିଛନ୍ତି ।

ରାଜ୍ୟରେ କରୋନାର ଚତୁର୍ଥ ଲହର କାୟା ମେଲାଉ ଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ୍ ନିୟମ ପାଳନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଖୋର୍ଦ୍ଧା ଓ କଟକ ପରେ ସମ୍ବଲପୁର ଜିଲ୍ଲାରେ ବି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କାଲିଠାରୁ ରାଜ୍ୟରେ ୧୮ରୁ ୫୯ ବର୍ଷ ବର୍ଗଙ୍କ ମାଗଣା ପ୍ରିକସନ୍ ଡୋଜ୍ ଆରମ୍ଭ ହେବ । ୭୫ ଦିନ ଧରି ଚାଲିବ ଏହି ଅଭିଯାନ । ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅବଶିଷ୍ଟ ୯୯ ପ୍ରତିଶତ ମାଗଣା ପ୍ରିକସନ୍ ଡୋଜ୍ ନେଇପାରିବେ। ଅନ୍‌ଲାଇଇନ୍ ବୁକିଂ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ପ୍ରିକସନ୍ ଡୋଜ୍ ନେଇ ହେବ ।

ସେପଟେ ଦେଶରେ ବି କରୋନା କୋପ ବଢିବାରେ ଲାଗିଛି । ଆଜି ୨୦ ହଜାର ୧୩୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କ ଜୀବନ ନେଇଛି ମହାମାରୀ ।