• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପ୍ରଥମ ଲହରରେ ଡରାଇଲା। ଦ୍ୱିତୀୟ ଲହରରେ ଭୟଙ୍କର ହେଲା। ସମ୍ଭାବ୍ୟ ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ। ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଆକଳନକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କିଛି ଏଭଳି ଆଶଙ୍କା କରାଯାଇଛି। ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ, ତୃତୀୟ ଲହର ପିକ୍ ସମୟରେ ଦେଶରେ ଦିନକୁ ୪-୫ ଲକ୍ଷ ପଜିଟିଭ୍ କେସ୍ ବାହାରିବ। ପ୍ରତି ଶହେ ପଜିଟିଭ୍‌ରେ ୨୩ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିବ। ଦ୍ୱିତୀୟ ଲହର ବେଳେ ଏହା ୨୦ ଥିଲା। ତୃତୀୟ ଲହରର ମୁକାବିଲା ଲାଗି ଆସନ୍ତା ମାସ ସୁଦ୍ଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାକୁ ଏହି ଗ୍ରୁପ୍ ସୁପାରିଶ କରିଛି।

ଭେଣ୍ଟିଲେଟର୍ ଥିବା ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍, ୫ ଲକ୍ଷ ଅକସିଜେନ୍ ସୁବିଧା ବେଡ୍ ସହ ମୋଟ୍ ୭ ଲକ୍ଷ ନନ୍ ଆଇସିୟୁ ବେଡ୍ ଓ ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ କେୟାର୍ ବେଡ୍ ଆବଶ୍ୟକ ହେବ। ଏପରି ସ୍ଥିତିରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି। ଏହାର ମୁକାବିଲା ଲାଗି ଅଧିକ ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର୍ ଆବଶ୍ୟକତା ପଡିବ ଡିଏମ୍ଇଟି କହିଛନ୍ତି। ତୃତୀୟ ୱେଭ୍‌ର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।  

ସେପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଚ୍ ଅଫ୍ ଡିଜାଷ୍ଟର ମ୍ୟାନେଜେଣ୍ଟ- NIDM ପକ୍ଷରୁୂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ସମ୍ଭାବ୍ୟ ତୃତୀୟ ଲହର ଉପରେ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଅନୁସାରେ ଅକ୍ଚୋବରରେ ତୃତୀୟ ଲହର ପିକ୍ ଆସିପାରେ ବୟସ୍କମାନଙ୍କ ଭଳି ଶିଶୁମାନେ ମଧ୍ୟ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗରୁତ୍ୱ ଦେବାକୁ ରିପୋର୍ଟରେ ଉଲ୍ଲେଖ କରଯାଇଛି। ଯଦି ଅଧିକ ସଂଖ୍ୟାରେ ଶିଶୁ ଆକ୍ରାନ୍ତ ହୁଅନ୍ତି, ତାହାଲେ ଯେତିକି ସଂଖ୍ୟାରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଭେଣ୍ଟିଲେଟର୍ ଓ ଆମ୍ବୁଲାନ୍ସର ଆବଶ୍ୟକ ପଡ଼ିବ। ସେତିକି ନଥିବା କୁହାଯାଇଛି। ଏବେ ୮୨ ପ୍ରତିଶତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର  ଓ ୬୩ ପ୍ରତିଶତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁରୋଗ ବିଶେଷଜ୍ଞ ନାହାନ୍ତି। ଯାହାକି ଶିଶୁ ସଂକ୍ରମଣ ବଢ଼ିଲେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ ବୋଲି NIDM ଆକଳନ କରିଛି।

ସେହିପରି କୋ-ମୋର୍ବିଡିଟିଜ୍ ବା ବହୁବିଧ ରୋଗ ଏବଂ ଦିବ୍ୟାଙ୍ଗ ଶିଶୁମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍ ଓ୍ୱାର୍ଡଗୁଡ଼ିକରେ ଯେପରି ଶିଶୁଙ୍କ ସହ ଅଭିଭାବକମାନେ ରହିପାରିବେ ସେ ଅନୁଯାୟୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଓଡ଼ିଶାରେ ଶିଶୁ ସଂକ୍ରମଣର ମୁକାବିଲା ଲାଗି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ନେଇ ଟାସ୍କ ଫୋର୍ସ, ଶିଶୁମାନଙ୍କ ଲାଗି ୧୫ ପ୍ରତିଶତ ଆଇସୋଲେସନ୍ ବେଡ୍ ଓ ଛୁଆମାନଙ୍କ ଥିବା ଆଇସିୟୁର ୫୦ ପ୍ରତିଶତ କୋଭିଡ୍ ଲାଗି ଉଦ୍ଦିଷ୍ଟ ଲାଗିଯାଉଛି। ଓଡ଼ିଶାରେ ଏଯାଏଁ ପ୍ରାୟ ୧ ଲକ୍ଷ ଶିଶୁ ଓ କିଶୋର କରୋନାରେ  ଆକ୍ରାନ୍ତ ହୋଇସାରିଛନ୍ତି। ଏହି ବର୍ଗରେ ଏବେ ଦିନକୁ ୧୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।