• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉଦାହରଣ ସୃଷ୍ଟି କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍

  • ଫେବୃଆରୀ ଶେଷ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ରହିବ କଡା କଟକଣା 

  • ଜେସିଣ୍ଡା ଆର୍ଡେନ୍ ଓ ତାଙ୍କ ପ୍ରେମିକ କ୍ଲାର୍କ ଗେଫର୍ଡ ସମ୍ପର୍କରେ ଅଛନ୍ତି 

ବିବାହ ଘୁଞ୍ଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । କରୋନା କାଳରେ ଉଦାହରଣ ସୃଷ୍ଟି କଲେ ଜେସିଣ୍ଡା ଆର୍ଡେନ୍ । କୋଭିଡ୍ ଗାଇଡଲାଇନ୍ ଯୋଗୁଁ ସେ ନିଜର ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି । ଗତକିଛି ଦିନ ଧରି ନ୍ୟୁଜିଲାଣ୍ଡରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ଏପରିକି ବିବାହ ଉତ୍ସବରେ ମାତ୍ର ୧୦୦ ଜଣଙ୍କୁ ଯୋଗଦେବାକୁ ଅନୁମତି ମିଳିଛି । ଫେବୃୟାରୀ ଶେଷ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ କଟକଣା ବଳବତ୍ତର ରହିବ ।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି, କୋଭିଡ -19 ର ନୂତନ ଭାରିଆଣ୍ଟ ଓମିକ୍ରନର ବଢ଼ୁଥିବା ବିପଦକୁ ହ୍ରାସ କରିବା ପାଇଁ ଦେଶରେ କଡା ପ୍ରତିବନ୍ଧକ ଲଗାଯାଇଛି । COVID-19 ସୁରକ୍ଷା ଢ଼ାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ କରାଯାଇଛି । ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ସହ ସୀମିତ ଲୋକଙ୍କୁ ଏକାଠି ରହିବା ପାଇଁ ଅନୁମତି ରହିଛି । ବର୍ତ୍ତମାନ ଉତ୍ତରରୁ ଦକ୍ଷିଣ ଦ୍ୱୀପପୁଞ୍ଜ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଏଣ୍ଟ ବ୍ୟାପିବାରେ ଲାଗିଛି ।

ବାର୍ ଏବଂ ରେଷ୍ଟୁରାଣ୍ଟ ଓ ବିବାହ ପରି ଇଭେଣ୍ଟରେ ୧୦୦ ଲୋକଙ୍କ ଯୋଗଦାନକୁ ଅନୁମତି ପ୍ରଦାନ କରାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଟିକା ସାର୍ଟିଫିକେଟ୍‌ ନଥାଏ, ତେବେ ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା ୨୫କୁ କମାଇବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି କାରଣରୁ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ତାଙ୍କ ବିବାହକୁ ବାତିଲ କରିଛନ୍ତି । ସୂଚନାଯୋଗ୍ୟ ଜେସିଣ୍ଡା ଆର୍ଡେନ୍ ଓ ତାଙ୍କ ପ୍ରେମିକ କ୍ଲାର୍କ ଗେଫର୍ଡ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କରେ ଅଛନ୍ତି ।  

ତେବେ ବିବାହ ଘୁଞ୍ଚିବା ପରେ ଆଗାମୀ ତାରିଖ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ଜେସିଣ୍ଡା ଆର୍ଡେନ୍ । କିନ୍ତୁ ଖୁବଶୀଘ୍ର ସେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ବିବାହ ଘୁଞ୍ଚାଇବା ପରେ ସେ କହିଛନ୍ତି, ମୁଁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ନୁହଁ । ସମସ୍ତଙ୍କ ପରି ପ୍ରଧାନମନ୍ତ୍ରୀ ମଧ୍ୟ ନିମୟରେ ବନ୍ଧା ।