• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ କ୍ରମାଗତ ହ୍ରାସ ପାଉଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ୭ ହଜାର ଉପରେ ଥିବା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟା ମଧ୍ୟରେ ୫ ହଜାର ୯୦୧କୁ ଖସିଛି । ଜାରି ରହିଥିବା ତୃତୀୟ ଲହର ଭିତରେ ଗତ ୧୯ରେ ଚିହ୍ନଟ ହୋଇଥିଲେ ସର୍ବାଧିକ ୧୧ ହଜାର ୬ ଶହ ୭ ରୋଗୀ । ତାପରଠୁ କ୍ରମାଗତ ହ୍ରାସ ପାଇ ୨୫ରେ ସର୍ବନିମ୍ନ ଥିଲା ୫ହଜାର ୮ଶହ ୯୧ । ଏହାପରେ ଆଜି ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୬ ହଜାର ତଳେ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବା ସହ ଫ୍ରଣ୍ଟଲାଇନ୍ ୱାର୍କସ ଏବଂ ବୟସ୍କମାନଙ୍କୁ ବୁଷ୍ଟର ଜୋଡ୍ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତାସହ ପୃଥକ ବାସରେ ରହି ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ RRT ଏବଂ କ୍ଷେତ୍ର କର୍ମଚାରୀ ଠିକ୍ ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଦୈନିକ ୬୫ ହଜାରରୁ ୭୦ ହଜାର ଟେଷ୍ଟିଂ ରହୁଛି ଏବଂ ପଜିଟିଭିଟି ହାର ୧୧ ଦଶମିକ ୪ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠୁ କମ୍ ରହିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି । କିନ୍ତୁ ବେସ୍ ଲାଇନ ଆସିନଥିବାରୁ ଆହୁରି ସତର୍କତା ଜରୁରୀ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସତର୍କ ରହିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ସଂପୂର୍ଣ୍ଣ ପ୍ରସ୍ତୁତ ରହି ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତା ସହିତ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ସକ୍ରିୟ ସହଯୋଗରେ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଜନସାଧାରଣ ଯେପରି କୋଭିଡ ସୁରକ୍ଷା ନିୟମାବଳୀ ଠିକ୍‌ ଭାବରେ ପାଳନ କରନ୍ତି, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ । ସେହିପରି  ପୃଥକ ବାସରେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଓ କ୍ଷେତ୍ର କର୍ମଚାରୀମାନେ ଠିକ୍ ଭାବରେ ତଦାରଖ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।