• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ନୂଆଦିଲ୍ଲୀର କରୋନା ସ୍ଥିତିକୁ ନେଇ ବଢିଲା ଚିନ୍ତା । ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୯ ହଜାରରୁ ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ମୋଟ ୯ ହଜାର ୧୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି । ଏହି ସମସ୍ତ ଓମିକ୍ରନ ଆକ୍ରାନ୍ତ ପୁଣେରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂଖ୍ୟା ଯାହାକି ପୂର୍ବଦିନ ଅପେକ୍ଷା ୨୭ ପ୍ରତିଶତ ଅଧିକ । ମୁମ୍ବାଇ ଓ ପୁଣେ ସହରରେ ସବୁଠୁ ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ମୁମ୍ବାଇ ମହାନଗରୀରେ ୬ ହଜାର ୩୪୭ ନୂଆ କେସ୍ ଆସିଛି, ଯାହାକି ପୂର୍ବ ଦିନ ତୁଳନାରେ ସଂକ୍ରମଣ ହାରରେ ୧୨ ପ୍ରତିଶତ ଅଧିକ ।

ସେହିପରି ଦିଲ୍ଲୀରେ ମଧ୍ୟ କରୋନା ଲମ୍ବ ଡିଆଁ ଦେଇଛି । ଦିନକରେ ଦିଲ୍ଲୀରେ ୨୭୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ପୂର୍ବ ଦିନ ତୁଳନାରେ ୫୦ ପ୍ରତିଶତ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩. ୬୪ ପ୍ରତିଶତ ବିଦେଶୀ ଫେରନ୍ତା ପଜିଟିଭ ବାହାରିଛନ୍ତି । ଗତ ମେ ୨୧ ତାରିଖରେ ଦିଲ୍ଲୀରେ ସର୍ବାଧିକ ୩ ହଜାର ୯ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଗତକାଲି ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଢୁଥିବା କରୋନା ସ୍ଥିତିକୁ ନେଇ ଦିଲ୍ଲୀରେ ୟେଲୋ ଆଲର୍ଟ ପୂର୍ବରୁ ଜାରି କରାଯାଇଛି । ସ୍କୁଲ ଓ ଜିମ୍ ଗୁଡିକୁ ବନ୍ଦ କରି ଦିଆଯାଇଛି ।

ସେପଟେ ହରିୟାଣାକୁ ମଧ୍ୟ ଫେରିଛି କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ବାର୍ ଏବଂ ରେଷ୍ଟୁରାଣ୍ଟ ଗୁଡିକ କେବଳ ୫୦ ପ୍ରତିଶତ ସିଟ୍ କ୍ଷମତା ସହିତ ଚାଲୁ ରହିବ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।