• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ଖ୍ରୀଷ୍ଟମାସ ବେଳେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଗତକାଲିଠାରୁ ଆସନ୍ତା ଜାନୁଆରୀ ୧୪ ଯାଏଁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍ ।

ସେହିପରି ୟୁକେରେ ଚିହ୍ନଟ ହେଉଥିବା କୋଭିଡ୍ ପଜିଟିଭ୍ ମଧ୍ୟରୁ ୬୦ ପ୍ରତିଶତ ଓମିକ୍ରନ୍ ଭାରିଆଣ୍ଟରେ ଆକ୍ରାନ୍ତ ହେଉଥିବା କହିଛନ୍ତି ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ । ଏପଟେ ଆମ ଦେଶରେ ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ଓମ୍ରିକନ୍ କେସ୍ ଦ୍ରୁତଗତିରେ ବଢୁଥିବା ଜଣାପଡ଼ିଛି । କରୋନାର ଏହି ନୂଆ ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବି ତତ୍ପର ଅଛନ୍ତି । ଓମିକ୍ରନ ପ୍ରବେଶ ରୋକିବାକୁ ରାଜ୍ୟ ସୀମାରେ ସର୍ଭେଲାନ୍ସ ଟିମ୍ ସଜାଗ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣକୁ ଜିରୋ କରିବା ସମ୍ଭବ ନୁହେଁ ହେଲେ ସର୍ଭେଲାନ୍ସ ଦ୍ୱାରା ନିୟନ୍ତ୍ରଣ ସମ୍ଭବ ଅଟେ ।

ସେପଟେ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀରେ ଦିନକରେ ୮୬ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛି ଯାହା ୫ ମାସ ଭିତରେ ସର୍ବାଧିକ ବୋଲି କୁହାଯାଉଛି । ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇରେ କଟକଣା ଆରମ୍ଭ ହୋଇଯାଇଛି । ବନ୍ଦ ସ୍ଥାନରେ କ୍ଷମତାର ୫୦ ପ୍ରତିଶତ ଲୋକ ହିଁ ଏକାଠି ହୋଇପାରିବେ । ଅନ୍ୟପଟେ ଏମ୍ସ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର କହିଛନ୍ତି ଓମିକ୍ରନ ଭାରିଆଣ୍ଟ ଡେଲଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ବି ଡେଲଟା ଭଳି ମାରାତ୍ମକ ନୁହେଁ । ସଂକ୍ରମଣ ଅଧିକ ହେଉଥିବାରୁ ଅଧିକ ଲୋକ ଆକ୍ରାନ୍ତ ହେବା ଆଶଙ୍କା ରହିଛି ।