• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନ ଉଦୟପୁରରେ ଏହି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଜ ଜଣକ ଜଣେ ୭୩ ବର୍ଷୀୟ ବୃଦ୍ଧ । ତେବେ ସେ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ଗତ ଡିସେମ୍ବର ୧୫ରେ ସେ ଉଦୟପୁରସ୍ଥିତ ଆରଏନଟି ମେଡିକାଲ କଲେଜରେ ସେ ଭର୍ତ୍ତି ହୋଇଥିଲେ । ପଜିଟିଭି ଆସିବା ପରେ ଜିନୋମ ସିକ୍ୱେନ୍ସିଂ ଦ୍ୱାରା ସେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତାଙ୍କୁ ପ୍ରଥମେ କୋଭିଡ ଆଇସିୟୁ ଏବଂ ପରେ ମେଡିକାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା ।

ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୧୩୫କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୬୫୩, ଦିଲ୍ଲୀରୁ ୪୬୪, କେରଳରୁ ୧୮୫, ରାଜସ୍ଥାନରୁ ୧୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆସାମରେ ପ୍ରଥମ ଓମିକ୍ରନ କେସ୍ ଚିହ୍ନଟ ହୋଇଛି । ସାଉଦିଆରବରୁ ଫେରିଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କେଶବ ମହନ୍ତ ସୂଚନା ଦେଇଛନ୍ତି ।

ଏପଟେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୦ ହଜାର ୬୬୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ୧୧ ଦଶମିକ ୮୮ ପ୍ରତିଶତକୁ ବୃଦ୍ଧି ପାଇଛି । ଦିଲ୍ଲୀ ସରକାର ସରକାରୀ ଅଫିସରେ ମେଡିକାଲ ଛୁଟି ଛାଡି ସମସ୍ତ ଛୁଟି ବାତିଲ କରିଛନ୍ତି । ସରକାରୀ ଅଫିସରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ସେହିଭଳି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି ଛୁଟି ମଞ୍ଜୁର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ୟୁରୋପରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫ୍ରାନ୍ସରେ ଗୋଟିଏ ଦିନରେ ୩ ଲକ୍ଷ ୩୫ ହଜାର କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍ ପରେ ଏବେ ଆଉ ଏକ ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ୱ ଚିନ୍ତିତ । ନୂତନ ଭାରିଆଣ୍ଟର ନାମ ଆଇଏଚୟୁ(IHU) ରଖାଯାଇଛି । ଫ୍ରାନ୍ସର ୧୨ଜଣଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଆଇଏଚୟୁ ମେଡିଟେରାନି ଇନଫେକ୍ସନ୍ ପକ୍ଷରୁ ସୂଚନା ମିଳିଛି ।