ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବେଳେ ସାମ୍ନାକୁ ଆସିଥିଲା ଅନେକ ନୂଆ ତଥ୍ୟ। ଟିକାର ଗୋଟିଏ କିମ୍ବା ଦୁଇଟି ଯାକ ଡୋଜ୍ ନେବା ପରେ ବି କିଛି ଲୋକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ। କରୋନା କବଳରୁ ମୁକ୍ତି ପାଇଥିବା ଆଉ କିଛି ଲୋକ ମଧ୍ୟ ପୁଣି ସଂକ୍ରମିତ ହୋଇଥିବା ନଜରକୁ ଆସିଥିଲା। ତେବେ କଣ ଥିଲା ଏହାର କାରଣ ? ରି-ଇନଫେକସନ ଓ ବ୍ରେକ୍ ଥ୍ରୁ ଇନଫେକସନ ଉପରେ ଆଇସିଏମଆର ଦେଶବ୍ୟାପୀ କରିଥିବା ଷ୍ଟଡିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଉତ୍ତର ଭାରତରୁ ସଂଗୃହିତ ଅଧିକାଂଶ ନମୁନା ଆଲଫା ଭ୍ୟାରିଏଣ୍ଟ ଦ୍ୱାରା ହୋଇଥିବା ବେଳେ ଦେଶର ଅନ୍ୟାନ୍ୟ ଅ଼ଞ୍ଚଳରୁ ସଂଗୃହିତ ନମୁନା ଡେଲଟା କିମ୍ବା କାପା ଭ୍ୟାରିଏଣ୍ଟ ଦ୍ୱାରା ହୋଇଥିବା ଜଣାପଡିଛି। ସେହିପରି କରୋନାରୁ ସୁସ୍ଥ ହେବା ପରେ ଆପେ ଆପେ ସୃଷ୍ଟି ହେଉଥିବା ପ୍ରତିରୋଧ ଶକ୍ତି ଶରୀରରେ ୧୦ରୁ ୧୧ ମାସ ଯାଏ ଶରୀରରେ ରହୁଥିବା ବେଳେ ଟିକା ଦ୍ୱାରା ସୃଷ୍ଟି ହେଉଥିବା ଇମ୍ୟୁନିଟି କେତେ ଦିନ ରହୁଛି ତା ଉପରେ ଗବେଷଣା ଜାରି ରହିଛି।
ନଜର ପକାନ୍ତୁ ICMR ଷ୍ଟଡିର ୧୦ଟି ପଏଣ୍ଟ ଉପରେ-
୧. ୮୬ ପ୍ରତିଶତରୁ ଅଧିକ ବ୍ରେକ୍ ଥ୍ରୁ ଇନଫେକସନ ପଛର କାରଣ ଡେଲଟା ଭ୍ୟାରିଏଣ୍ଟ।
୨. ବ୍ରେକ୍ ଥ୍ରୁ ଇନଫେକସନ କ୍ଷେତ୍ରରେ ମାତ୍ର ୯.୮ ପ୍ରତିଶତ ଆକ୍ରାନ୍ତଙ୍କୁ ହସପିଟାଲ ଯିବାକୁ ପଡିଛି।
୩. ମାତ୍ର ୦.୪ ପ୍ରତିଶତ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡିଛନ୍ତି।
୪. ଉତ୍ତର ଭାରତରେ ବ୍ରେକ୍ ଥ୍ରୁ ଇନ୍ଫେକସନର କାରଣ ଆଲ୍ଫା ଭ୍ୟାରିଏଣ୍ଟ।
୫. ଦକ୍ଷିଣ, ପଶ୍ଚିମ ଓ ପୂର୍ବ ଭାରତରେ ବ୍ରେକ୍ ଥ୍ରୁ ଇନ୍ଫେକସନର କାରଣ ଡେଲଟା ଓ କାପା ଭ୍ୟାରିଏଣ୍ଟ।
୬. ବ୍ରେକ୍ ଥ୍ରୁ ଇନ୍ଫେକସନର ୭୧ ପ୍ରତିଶତଙ୍କ ଦେହରେ ଲକ୍ଷଣ ପରିଲକ୍ଷିତ ହୋଇଥିବା ବେଳେ ୨୯ ପ୍ରତିଶତଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳିନାହିଁ, କେବଳ ୬ ପ୍ରତିଶତଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଛି।
୭. ଟିକା ନେବା ଦ୍ୱାରା ସଂକ୍ରମଣର ମାତ୍ରା କମିବା ସହ ଓ ହସ୍ପିଟାଲ ଯିବା ହ୍ରାସ ପାଇଛି।
୮. କେବଳ ଟିକା କରୋନାରୁ ମୁକ୍ତି ଦେବାରେ ସଫଳ ନୁହେଁ ବୋଲି ପ୍ରତିପାଦିତ ହୋଇଛି। ୬୭୭ ନମୁନା ମଧ୍ୟରୁ ୮୫ ଜଣ ପ୍ରଥମ ଡୋଜ୍ ଓ ୫୯୨ ଜଣେ ଉଭୟ ଡୋଜ୍ ନେବା ପରେ ବି ସଂକ୍ରମିତ ହୋଇଛନ୍ତି।
୯. ଟିକାର ଦକ୍ଷତା ପରଖିବାକୁ ଏହି ଷ୍ଟଡି ଉଦ୍ଦିଷ୍ଟ ନଥିଲେ ମଧ୍ୟ ୬୭୭ ଜଣଙ୍କ ମଧ୍ୟରୁ ୬୦୪ ଜଣ କୋଭିସିଲ୍ଡ,୭୧ ଜଣ କୋଭାକସିନ୍ ଏବଂ ୨ ଜଣ ଚୀନ୍ ଟିକା ନେଇଥିବା ଜଣାପଡିଛି।
୧୦. ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଡେଲଟା ଭ୍ୟାରିଏଣ୍ଟ ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆଲ୍ଫା ଓ କାପା ଦ୍ୱାରା ସଂକ୍ରମଣ ବହୁଗୁଣିତ ହୋଇଥିଲା।
ଦେଶର ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସଂଗୃହିତ ନମୁନା ଆଧାରରେ ICMR ଏହି ଷ୍ଟଡି ରିପୋର୍ଟ ପ୍ରକାଶ କରିଛି।