• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମହାମାରୀ ଭୟ ଭିତରେ ଆଇସିଏମଆରର ସୂଚନା

  • ସେରୋ ସର୍ଭେ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ 

ନୂଆଦିଲ୍ଲୀ : କରୋନା ଭାଇରସର ଦ୍ୱିତୀୟ ଲହରୀ ଦେଶରେ ତାଣ୍ଡବ ରଚିଛି । ଦ୍ୱିତୀୟ ଲହରୀରେ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି । କେତେ କୁନି କୁନି ପିଲା ବାପାମା’ ଛେଉଣ୍ଡ ହୋଇ ଯାଇଥିବା ବେଳେ ଅନେକ ପରିବାର ଉଜୁଡ଼ି ଯାଇଛି । ଅପୂରଣୀୟ କ୍ଷତି ଦେଇ ଯାଇଛି ଦ୍ୱିତୀୟ ଲହରୀ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଶେଷଜ୍ଞମାନେ କରୋନା ତୃତୀୟ ଲହରୀକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହି ଭିତରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ନୂତନ ତଥ୍ୟ ପ୍ରଦାନ କରିଛି । ଯେଉଁ ଜିଲ୍ଲା ଗୁଡ଼ିକରେ କରୋନା ଭୂତାଣରୁ ଦ୍ୱିତୀୟ ଲହରୀର ପ୍ରଭାବ ଅଧିକ ଥିଲା, ସେଠାରେ ତୃତୀୟ ଲହରୀ ସେତେ ଅଧିକ କ୍ଷତି ଘଟାଇବ ନାହିଁ ବୋଲି ଆଇସିଏମଆର କହିଛି । ତୃତୀୟ ଲହରୀ ସେହି ଜିଲ୍ଲା ଗୁଡ଼ିକରେ କମ୍ ମାରାତ୍ମକ ହେବ ।

ଜିଲ୍ଲା ସ୍ତରରେ କରୋନାର ତୃତୀୟ ତୃତୀୟ ପାଇଁ ପ୍ରସ୍ତୁତ ହେବା ଏବଂ ସ୍ଥାନୀୟ ତଥ୍ୟ ଉପରେ ଆଧାର କରି ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ପଦକ୍ଷେପ ନେବା ପାଇଁ ସମସ୍ତ ରାଜ୍ୟକୁ କହିଛି ଆଇସିଏମଆର । ଆଇସିଏମଆରର ଏପିଡେମୋଲୋଜି ଏବଂ କମ୍ୟୁନିକେବଲ୍ ରୋଗ ବିଭାଗର ମୁଖ୍ୟ ସମୀରାନ୍ ପଣ୍ଡା କହିଛନ୍ତି, ମହାରାଷ୍ଟ୍ର ପରି ରାଜ୍ୟରେ ଜିଲ୍ଲା ସ୍ତରରେ ବିବିଧତା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ସମସ୍ତ ଜିଲ୍ଲାକୁ ଏକାବେଳେ କରୋନାର ତୃତୀୟ ଲହରୀ ଆସିବ ନାହିଁ । ତେଣୁ ବେଳ ଥାଉ ଥାଉ ଜିଲ୍ଲା ସ୍ତରରେ ସଂକ୍ରମଣ ନିୟନ୍ତ୍ରଣ ଏବଂ ଏହାର ପରିଚାଳନା କାର୍ଯ୍ୟ କରିବା ଆବଶ୍ୟକ ।

ଯେଉଁ ଜିଲ୍ଲାଗୁଡ଼ିକ ଦ୍ୱିତୀୟ ଲହରୀ ବିଶେଷ ପ୍ରଭାବ ପକାଇ ନାହିଁ, ସେଠାରେ ଲୋକେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ଏହି ଗୋଷ୍ଠୀ ମଧ୍ୟରେ ଟିକାକରଣ ବୃଦ୍ଧି କରାଯିବା ଉଚିତ୍ । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଜିଲ୍ଲା ସ୍ତରରେ ସେରୋ ସର୍ଭେ କରିବାକୁ କୁହାଯାଇଛି । ସେରୋ ସର୍ଭେରେ ସେହି ସ୍ଥାନଗୁଡିକର ଲୋକଙ୍କୁ ଅଧିକ ଧ୍ୟାନ ଦିଆଯିବ, ଯେଉଁଠାରେ କରୋନାର ଦ୍ୱିତୀୟ ଲହରୀର ପ୍ରଭାବ କମ୍ ଥିଲା । ଏଥି ସହିତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆଇସିଏମଆର ସହିତ ପରାମର୍ଶ କରି ସେରୋ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ସେହିପରି ସ୍ଥାନୀୟ ସ୍ତରରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତ କରିବାରେ ଆବଶ୍ୟକ ହେଉଥିବା ସେରୋ ପ୍ରିଭିଲେନ୍ସ ଉପରେ ଜିଲ୍ଲା ସ୍ତରୀୟ ତଥ୍ୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ।

ସେପଟେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ନକଲେ ଡେଲଟା ଭାରିଏଣ୍ଟ୍ ମାରାତ୍ମକ ହୋଇପାରେ ବୋଲି କହିଛି WHO । ଆଗାମୀ ଭବିଷ୍ୟତରେ ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡେଲଟା ଭାରିଆଣ୍ଟ ସମସ୍ତଙ୍କ ପାଇଁ ଏକ ଚେତାବନୀ । କରୋନାର ଏହି ରୂପକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ, ନଚେତ୍ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଟିକାକରଣ ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି WHO କହିଛି । ଡେଲଟା ଭାରିଏଣ୍ଟର ବିପଜ୍ଜନକ ପରିଣାମକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଦେଶ, ସେମାନଙ୍କ ଜନସଂଖ୍ୟାର ଅତିକମରେ ୧୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ଜରୁରୀ ବୋଲି କହିଛି WHO ।