• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ସୀମାନ୍ତ ଜିଲ୍ଲାଙ୍କୁ ସତର୍କ କଲେ ରାଜ୍ୟ ସରକାର

  • ରାଜ୍ୟରେ ୪୧ ଲକ୍ଷ ଲୋକ ଆଦୌ ଟିକା ନେଇ ନାହାନ୍ତି

ଭୁବନେଶ୍ୱର: ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର । ସେପଟେ କରୋନା ମୁକାବିଲାରେ ସବୁଠୁ ବଡ଼ ଅସ୍ତ୍ର ସାଜିଥିବା ଭ୍ୟାକ୍ସିନେସନରେ ବି ପଛରେ ପଡିଛି ଓଡ଼ିଶା । ଡିସେମ୍ବରରେ ଶତ ପ୍ରତିଶତ ଫାଷ୍ଟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ଥିବାବେଳେ ଅଦ୍ୟାବଧି ୪୧ ଲକ୍ଷ ଲୋକ ଆଦୌ ଭ୍ୟାକସିନ୍ ନେଇନଥିବାର ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ତେଣେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ କାୟାକୁ ନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ମିଳିତ ସ୍କ୍ୱାର୍ଡ ସ୍କୁଲରୁ ସ୍କୁଲ ବୁଲି ସ୍ଥିତି ନିରୀକ୍ଷଣ କରିବେ ।

ପଡୋଶୀ ଆନ୍ଧ୍ରକୁ ବି ଛୁଇଁଗଲା ଓମିକ୍ରନ୍ । ବଢ଼ିଲା ଛନକା, ଆଗୁଆ ସଜାଗ ହେଉଛି ଓଡ଼ିଶା । ଆନ୍ଧ୍ର ସୀମାନ୍ତ ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ସହ ରାଜ୍ୟର ଅନ୍ୟ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କୁ ଆଲର୍ଟ କଲେ ରାଜ୍ୟ ସରକାର । ତେବେ ଅଧିକ ଆତଙ୍କିତ ନହୋଇ କୋଭିଡ୍ ନିୟମକୁ କଡ଼ାକଡ଼ି ଅନୁପାଳନ ପାଇଁ ପରାମର୍ଶ ଦେଲେ ଡିଏମ୍ଇଟି ରନାରମଣ ମହାନ୍ତି । ତାସହ କହିଛନ୍ତି-ରାଜ୍ୟକୁ ଯେ କେହି ବି ବିଦେଶରୁ ଆସୁଛନ୍ତି, ବିମାନ ବନ୍ଦରରେ ସେମାନଙ୍କ ଟେଷ୍ଟିଂ କରାଯାଉଛି । ଯଦିଓ ଏଯାଏଁ ଓଡ଼ିଶାରେ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି, ତେବେ ପଜିଟିଭ୍ ବାହାରିଥିବା ସବୁ ବିଦେଶ ଫେରନ୍ତାଙ୍କ ଜିନମ୍ ସିକ୍ୱେନସିଂକୁ ଗୁରୁତ୍ୱ ଦିଆଯାଉଛି ।

ଏଣେ ଦିନକୁ ଦିନ ଶିକ୍ଷାନୁଷ୍ଠାନରେ ସଂକ୍ରମଣର କାୟା ବଢ଼ାଇ ଚାଲିଛି କରୋନା । ସଦ୍ୟତମ ଘଟଣା କ୍ରମେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ବାଳିକା ବିଦ୍ୟାଳୟର କିଛି ଛାତ୍ରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ବି ଚିନ୍ତା ବଢିବାରେ ଲାଗିଛି । ଘଟଣା ଜଣାପଡିବା ପରେ କପ୍ତିପଦାରୁ ଏକ ମେଡିକାଲ ଟିମ୍ ସ୍କୁଲରେ ପହଞ୍ଚି ଛାତ୍ରୀ, ଶିକ୍ଷକ ଏବଂ ସ୍କୁଲର ସମସ୍ତ କର୍ମଚାରୀଙ୍କ ନମୁନା ସଂଗ୍ରହ କରିଛି । ଆଣ୍ଟିଜେନରେ ପଜିଟିଭ୍ ଚିହ୍ନଟ ଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ବି କରାଯାଇଛି । କରୋନା ନେଗେଟିଭ୍ ଥିବା ଛାତ୍ରୀଙ୍କୁ ଅନ୍ୟତ୍ର ରଖିବା ବ୍ୟବସ୍ଥା କରାଯାଉଛି ।

ସେପଟେ ସ୍କୁଲରେ କରୋନା କାୟା ବୃଦ୍ଧି ସମ୍ପର୍କରେ ପ୍ରତିକ୍ରିୟା ରଖି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଶିକ୍ଷାନୁଷ୍ଠାନରେ ଗାଇଡଲାଇନ୍ ଅନୁସାରେ ପାଠ ପଢ଼ା ହେଉଛି, କାଁ ଭାଁ କେଉଁଠି କରୋନା ବ୍ୟାପୁଛି ଓ ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହ ଗଣଶିକ୍ଷା ବିଭାଗର ମିଳିତ ସ୍କ୍ୱାର୍ଡ ସ୍କୁଲରୁ ସ୍କୁଲ ବୁଲି ସ୍ଥିତି ନିରୀକ୍ଷଣ କରୁଛନ୍ତି ।

 

ଗୋଟିଏ ପଟେ କରୋନା ମୁକାବିଲାରେ ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଓଡ଼ିଶାରୁ ଭ୍ୟାକ୍ସିନେସନକୁ ନେଇ ଆସିଛି ଉଦ୍ବେଗଜନକ ତଥ୍ୟ । ଖୋଦ୍ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ରାଜ୍ୟରେ ଅଦ୍ୟାବଧି ୪୧ ଲକ୍ଷ ଲୋକ ଆଦୌ ଭ୍ୟାକସିନ୍ ନେଇନାହାନ୍ତି । ଅର୍ଥାତ୍ ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଥିବାବେଳେ ବଳକା ୧୩ ପ୍ରତିଶତ ଆଦୌ ଟିକା ନେଇ ନାହାନ୍ତି । ଯେହେତୁ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଶତ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକାକରଣ ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ତେଣୁ ଲୋକମାନେ ସ୍ୱତଃ ପ୍ରବୃତ୍ତ ଭାବେ ଟିକା ନେବାକୁ ସେ ନିବେଦନ କରିଛନ୍ତି । ମୟୂରଭଞ୍ଜ, କନ୍ଧମାଳ ଓ କଟକ ଆଦି ଜିଲ୍ଲାରେ ପ୍ରଥମ ଡୋଜ୍ ଭ୍ୟାକସିନେସନ ହାର ବହୁତ କମ୍ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ୫୪ ପ୍ରତିଶତ ଲୋକ ସେକେଣ୍ଡ ଡୋଜ ଟିକା ନେଇଥିବା କଥା ମଧ୍ୟ କହିଛନ୍ତି ।

ରାଜ୍ୟରୁ ରାଜ୍ୟକୁ ଡେଉଁଥିବା ଓମିକ୍ରନ୍ ଭୁତାଣୁ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ଭାରତରେ ବଢ଼ି ୩୮ ଛୁଇଁଲାଣି । ଗତକାଲି ଆନ୍ଧ୍ରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବିଜୟନଗରମ୍ ଜିଲ୍ଲାର ଜଣେ ୩୪ ବର୍ଷିୟ ଓ ସେ ଆୟରାଲ୍ୟାଣ୍ଡରୁ ଫେରିଥିବାର ସୂଚନା ମିଳିଛି ।

ରିପୋର୍ଟର- ମାନସ ପାଣି, ଜଗଦୀଶ ଦାଶ ଓ ହରିହର ଚାନ୍ଦ