• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ କାୟା ମେଲାଉଛି ନୂଆ ଭ୍ୟାରିଆଣ୍ଟ୍ । ଦେଶରେ 'ଓମିକ୍ରନ୍' ଭ୍ୟାରିଆଣ୍ଟର ରୋଗୀଙ୍କ ସଂଖ୍ୟା ୭୮୧ରେ ପହଞ୍ଚିଛି । ଏଥି ମଧ୍ୟରୁ ରାଜଧାନୀ ଦିଲ୍ଲୀରେ ହିଁ ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ରାଜଧାନୀରେ ଏପର୍ଯ୍ୟନ୍ତ ୨୩୮ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଏହି ସଂଖ୍ୟା ସର୍ବାଧିକ । ଏହା ପରେ ମହାରାଷ୍ଟ୍ରରେ ୧୬୭ ଟି ଓମିକ୍ରନ୍ ମାମଲା ପଞ୍ଜିକୃତ ହୋଇଛି । ଦେଶର ୫ଟି ରାଜ୍ୟରେ ଓମିକ୍ରନର ୫୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି । ପଜିଟିଭିଟି ରେଟ୍ ଲଗାତର ୨ ଦିନ ଧରି ଶୂନ ଦଶମିକ ୫ ଉପରେ ରହିବା ପରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଅନୁସାରେ ବନ୍ଦ ରହିଛି ସ୍କୁଲ । ତେବେ ନିର୍ମାଣ କାମ ଜାରି ରହିବ । ପବ୍ଲିକ ଟ୍ରାନ୍ସପୋର୍ଟରେ ଅଧା ଯାତ୍ରୀ ସହ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।

ସକାଳ ୧୦ରୁ ରାତି ୮ ଯାଏ ଜରୁରୀ ସାମଗ୍ରୀ ପାଇଁ ଦୋକାନ ବଜାର ଖୋଲା ରହିଛି । ବାର୍, ରେଷ୍ଟୁରାଣ୍ଟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯାଇଛି । ସିନେମା ହଲ୍ ଓ ମଲ୍ଟି ପ୍ଲେକ୍ସ ଅଡିଟୋରିଅମ ବି ବନ୍ଦ ରହିଛି । ୫୦ ପ୍ରତିଶତ କ୍ଷମତାରେ ଚାଲୁଛି ମେଟ୍ରୋ । ସୁଇମିଂ ପୁଲ, ସ୍ପୋର୍ଟସ କଂପ୍ଲେକ୍ସ, ଷ୍ଟାଡିୟମ ବନ୍ଦ କରାଯାଇଛି । ବାହାଘର ଏବଂ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ୨୦ ଜଣ ଯୋଗ ଦେଇପାରିବେ । କୋଭିଡ ସହ ମୁକାବିଲା ପାଇଁ ଦିଲ୍ଲୀ ସରକାର ଏଥର ୧୦ ଗୁଣା ଅଧିକ ପ୍ରସ୍ତୁତି କରିଛି ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ କହିଛନ୍ତି ।

ସେପଟେ ଦିଲ୍ଲୀ ମେଟ୍ରୋ ଓ ବସରେ ୫୦ ପ୍ରତିଶତ ଯାତ୍ରୀ କଟକଣା ଲାଗିବା ପରେ ଦିଲ୍ଲୀରେ ସ୍ଥିତି ବିଗିଡ଼ି ଯାଇଛି । ସକାଳୁ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାର ଏକାଧିକ ମେଟ୍ରୋ ଷ୍ଟେସନରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି କି ମେଟ୍ରୋ ଷ୍ଟେସନର ଶହେ ମିଟର ଯାଏଁ ଲମ୍ବା ଧାଡ଼ି ରହିଛି । ଲୋକେ ମେଟ୍ରୋ ଧରି ଶୀଘ୍ର ଯିବେ କଣ ବହୁ ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା ।

ବସଷ୍ଟାଣ୍ଡରେ ବି ପ୍ରାୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଚାଲୁଥିବା ବସରେ ଭିଡ଼ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି ।  ହେଲେ ୫୦% ଲୋକ ଯିବାକୁ ନିୟମ ହୋଇଥିବାରୁ ବହୁ ଲୋକେ ଅପେକ୍ଷା କରି ରହିଛନ୍ତି ।