• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନୂଆ ଭାରିଆଣ୍ଟ୍ ଓମିକ୍ରନ୍‌କୁ ହରାଇଲେ ଦିଲ୍ଲୀର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ । ଚିକିତ୍ସିତ ହେବା ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ସୋମବାର ଦିନ ଓମିକ୍ରନ୍‌ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଲୋକନାୟକ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କିନ୍ତୁ ତାଙ୍କୁ ଏକ ସପ୍ତାହ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଡାକ୍ତର । ରୋଗୀର ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଥିବା ହେତୁ ତାଙ୍କୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ନଆସିବାକୁ କୁହାଯାଇଛି

ଡିସେମ୍ବର ୫ରେ ରାଞ୍ଚିର ୩୭ ବର୍ଷିୟ ରୋଗୀ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିଲେ । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେ ସଂକ୍ରମିତ ଚିହ୍ନଟ ହୋଇଥିଲା । ଆଉ ତାଙ୍କୁ ଲୋକନାୟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ଚାରି ଦିନ ପରେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ଆସିଥିଲା । ଆଉ ରିପୋର୍ଟ ଅନୁସାରେ ସେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ତେବେ ସାମାନ୍ୟ ଲକ୍ଷଣ ହେତୁ ରୋଗୀ ଶୀଘ୍ର ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ଜିନୋମ ସିକ୍ୱେନ୍ସିଂ ରିପୋର୍ଟ ପଜିଟିଭ୍ ଆସିବା ପରେ ରୋଗୀଙ୍କ ଠାରେ ଜ୍ୱର ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ମଧ୍ୟ ରହିଥିଲା । କିନ୍ତୁ ଦୁଇରୁ ତିନି ଦିନ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ବୋଲି ଡାକ୍ତର କହିଛନ୍ତି । ଶନିବାର ଦିନ ରୋଗୀଙ୍କର ପୁଣି କୋଭିଡ୍ ଟେଷ୍ଟ କରାଯାଇଥିଲା । ରବିବାର ଦିନ ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଉ ତା’ପରେ ସୋମବାର ସକାଳେ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରାଯିବା ସହ ଡିସଚାର୍ଜ କରାଯାଇଥିଲା । ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ବର୍ତ୍ତମାନ ରୋଗୀଙ୍କୁ ଏକ ସପ୍ତାହ ପାଇଁ ଦିଲ୍ଲୀରେ ରହିବାକୁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବା ପାଇଁ ଏପରି କୁହାଯାଇଛି ।

ପ୍ରଥମ ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି ବୋଲି ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ଦ୍ୱିତୀୟ ରୋଗୀ ଏ‍ବେ ବି ଡାକ୍ତରୀ ଟିମ୍‌ଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଥିବାବେଳେ ତାଙ୍କ ଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ । ସପ୍ତାହ ଶେଷ ସୁଦ୍ଧା କୌଣସି ଲକ୍ଷଣ ଦେଖାନଗଲେ ତାଙ୍କୁ ବି ଡିସଚାର୍ଜ କରାଯିବ । ଉଭୟ ଓମିକ୍ରନ୍ ଭାରିଆଣ୍ଟ ରୋଗୀଙ୍କ ସ୍ଥିତି ଗମ୍ଭୀର ନୁହେଁ ବୋଲି କୁହାଯାଇଛି ।