• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ୧୨ ହଜାର ପାର୍ କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୨ ହଜାର ୮୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମିତିକି ୨୪ ଘଣ୍ଟା ଭିତରେ ୧୪ ଜଣଙ୍କ ପ୍ରାଣ ନେଇଛି ଏହି ଅଦୃଶ୍ୟ ଭୂତାଣୁ । ଦେଶରେ ଚିହ୍ନଟ ନୂଆ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୪ ହଜାର ୨୫୫ ଜଣ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି, ଯାହାକି ଫେବ୍ରୁଆରୀ ୧୨ ପରେ ରାଜ୍ୟର ଦୈନିକ ସର୍ବାଧିକ ।

ସେହିପରି ଦିଲ୍ଲୀରୁ ୧ ହଜାର ୩୨୩, ତାମିଲନାଡ଼ୁରୁ ୫୫୨ ଓ ପଶ୍ଚିମବଙ୍ଗରୁ ୧୯୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ର ଓ ଦିଲ୍ଲୀରେ ଉପରମୁହାଁ କରୋନା ଗ୍ରାଫ୍ ଦେଶରେ ଚିନ୍ତା ବଢ଼ାଇଲାଣି । ଏହାକୁ ନଜରରେ ରଖି ସର୍ଭେଲାନ୍ସ, ଟେଷ୍ଟିଂ ଓ ଜିନମ୍ ସିକ୍ୱେନ୍ସିଂ ବଢ଼ାଇବା ଲାଗି ନିକଟରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏମିତି ସ୍ଥିତି ଜାରି ରହିଲେ ଆଗକୁ ପୁଣିଥରେ ମାସ୍କ ଓ କୋଭିଡ୍ କଟକଣା କଡ଼ାକଡ଼ି ହୋଇପାରେ ବୋଲି ବିଶେଷଜ୍ଞ ଆଶଙ୍କା କଲେଣି ।

ଏପଟେ ଗତକାଲି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪୧କୁ ବଢ଼ିଥିବା ବେଳେ ଆଜି ଏହା ସାମାନ୍ୟ ଖସି ୨୫ରେ ରହିଛି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ୧୦ ହଜାର ଟେଷ୍ଟରୁ ମାତ୍ର ୨୫ ଜଣ ପଜିଟିଭ ବାହାରିଛନ୍ତି । ଯେହେତୁ କରୋନା ଭୂତାଣୁ ସବୁଦିନ ଲାଗି ରହିବ, ସଂକ୍ରମଣ ବି ରହିବ । କିନ୍ତୁ ଗୁରୁତର ବା ଡାକ୍ତରଖାନାରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା କମୁଛି ।

ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ଆଇସୋଲେଟ୍ କରନ୍ତୁ, କୋଭିଡ୍ ଟେଷ୍ଟ କରାନ୍ତୁ । ତାହାହେଲେ ସେମାନେ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ ଓ ସଂକ୍ରମଣକୁ ରୋକାଯାଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।