• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସଂଖ୍ୟାରେ ଲଗାମ ଲାଗୁନି। ସଂକ୍ରମଣ ସଂଖ୍ୟା ୧୧ ହଜାର ଟପିଲାଣି । ଆଜି ଦିନକରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୪୭୯ ଜଣ, ଲୋକାଲ୍ କେସ୍ ୪୬୯୮ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧୬ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨କୁ ବୃଦ୍ଧି ପାଇଛି ।

 

ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ । ଗତକାଲି ରାଜ୍ୟରେ ଆଉ ୩୨ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨ କୁ ଛୁଇଁଲା । ଏପଟେ ଆଜିକୁ ମିଶାଇ ଗତ ୩ ଦିନ ଧରି ରାଜ୍ୟରେ ଜାରି ରହିଛି କୋଭିଡ୍‌ର ୧୦ ହଜାର ପାର୍ ନୂଆ ସଂକ୍ରମଣ ଟ୍ରେଣ୍ଡ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ-ଜାନୁଆରୀ ୧୩ରେ ୧୦୦୫୯, ୧୪ରେ ୧୦୨୭୩ ଓ ୧୫ରେ ୧୦୮୫୬, ଆଜି ୧୧,୧୭୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ଥାର୍ଡ ୱେଭ୍‌ରେ ସ୍ୱାସ୍ଥ୍ୟକର୍ମୀ ଅଧିକ ପ୍ରଭାବିତ ହେଉଥିବାର ଖବର ପୁଣି ଆସିଛି । ଭୁବନେଶ୍ୱର ଏମ୍‌ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଆସନ୍ତା ୧୭ରୁ ଓପିଡି ବନ୍ଦ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ ସେଠାରେ ଜରୁରୀକାଳୀନ ସେବା ପୂର୍ବଭଳି ଚାଲୁ ରହିବ । ଏଣେ ଏହି ଲହରରେ ଅଯଥା ଟେଷ୍ଟିଂ ବଢୁଥିବାରୁ ଏସମ୍ପର୍କରେ କେନ୍ଦ୍ର ଗାଇଡଲାଇନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନଥିଲେ ଟେଷ୍ଟିଂର ଆବଶ୍ୟକ ନାହିଁ । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨%ରୁ କମ୍ ହସ୍ପିଟାଲାଇଜେସନ ହୋଇଥିବାବେଳେ ICUରେ ଅଛନ୍ତି ୩୦୦ ଆକ୍ରାନ୍ତ । ଲକ୍ଷଣ ଥିଲେ ବୃଦ୍ଧ ବ୍ୟକ୍ତି ମଧ୍ୟ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବା ସହ ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଓ କରୋନା ପାଇଁ ଅନାବଶ୍ୟକ ଔଷଧ ନଖାଇବାକୁ ଦେଇଛନ୍ତି ପରାମର୍ଶ ।