Advertisment

ବଢ଼ି ଚାଲିଛି କରୋନା ମିଟର; ମାଡ଼ି ଚାଲିଛି ଓମିକ୍ରନ୍

ଉଗ୍ର ରୂପ ନେଇ ଚାଲିଛି କରୋନାର ନୂଆ ଭାରିଆଣ୍ଟ୍। ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି।

author-image
Pramod Behera
Corona meters are on the rise; The omicron is increasing

Corona meters are on the rise; The omicron is increasing

ଭୁବନେଶ୍ୱର (କପିଳେନ୍ଦ୍ର ପ୍ରଧାନ): ଦେଶରେ ଯେମିତି, ରାଜ୍ୟରେ ବି ସେମିତି ପରିସ୍ଥିତି ଦେଖାଦେଇଛି। କରୋନାର ସାଂଘାତିକ ସଂକ୍ରମଣ ବଢିବାରେ ଲାଗିଛି। ଓଡ଼ିଶାରେ ଦୈନିକ ସଂକ୍ରମଣ ଆଜି ୩ ହଜାର ୬ଶହ ଉପରେ ଥିବାବେଳେ ଚିହ୍ନଟ ହୋଇଛନ୍ତି ଆଉ ୧୪ ନୂଆ ଓମିକ୍ରନ୍ ଆକ୍ରାନ୍ତ। ରାଜ୍ୟରେ କୋଭିଡ୍ ଦ୍ରୁତ ସଂକ୍ରମଣର ଏଭଳି ସ୍ଥିତି ଆହୁରି କିଛି ଦିନ ଚାଲିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହୁଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ କରିଛନ୍ତି ଯେ ଜାନୁଆରୀ ୨୫ ସୁଦ୍ଧା ପିକ୍ ଛୁଇଁବ ଥାର୍ଡ ୱ୍ୱେଭ୍।

Advertisment

ଆଜି ରାଜ୍ୟରୁ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ବାହାରିଥିବା ବେଳେ ଏହି କ୍ଷିପ୍ର ସଂକ୍ରମଣକାରୀ ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିଛି ILS। ଏଣେ ଦେଶରେ ବି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର୍ କରିଛି। ମହାରାଷ୍ଟ୍ରରେ ସଂଖ୍ୟା ୯ଶହ ମୁହାଁ ହୋଇଥିବାବେଳେ ୫ ଶହ ପାର୍ ସହ ଦ୍ୱିତୀୟରେ ରହିଛି ଦିଲ୍ଲୀ। ସେପଟେ ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି କୋଭିଡର ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି ଆଜିର ତଥ୍ୟ।

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୪୧ ହଜାର ୯୮୬ ନୂଆ କରୋନା ଆକ୍ରାନ୍ତ, ଯାହାକି ଗଲାକାଲି ଅପେକ୍ଷା ଆଉ ୨୪ ହଜାର ଅଧିକ। ଏଥିସହ ଦୈନିକ ପଜିଟିଭିଟି ହାର ବି ୯.୨୮ ପ୍ରତିଶତକୁ ବଢ଼ିଛି। ଆକ୍ଟିଭ୍ କେସ୍ ୫ ଲକ୍ଷ ମୁହାଁ ହେଲାଣି। ଓଡ଼ିଶାରେ ବି ଦୈନିକ କୋଭିଡ୍ ସଂକ୍ରମଣରେ ଲାଗିଛି ନିଆଁ। ବାହାରିଥିବା ୩୬୭୯ ନୂଆ ସଂକ୍ରମିତଙ୍କ ମଧ୍ୟରୁ ରେଡ୍ ଜୋନ୍‌ରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ସର୍ବାଧତ୍କ ୧୨୨୩। ସେହିପରି ୟେଲୋ ଜୋନ୍‌ରେ ଥିବା ସୁନ୍ଦରଗଡ଼ ଜିଲ୍ଲାରୁ ବାହାରିଛନ୍ତି ୫୮୨ ନୂଆ ରୋଗୀ। ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଏଭଳି ସ୍ଥିତି ଆହୁରି କିଛି ଦିନ ଚାଲିବ। ଦେଶରେ ଯେମିତି ବଢୁଛି, ରାଜ୍ୟରେ ବି ସେମିତି ଅବସ୍ଥା। କେବେ ସଂକ୍ରମଣ ତଳମୁହାଁ ହେବ ଏବେଠୁ କହିହେବନି। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଜାନୁଆରୀ ୨୫ ସୁଦ୍ଧା ରାଜ୍ୟରେ ପିକ୍ ଛୁଇଁବ ଥାର୍ଡ ୱେଭ୍।

ଏଣେ ସଂକ୍ରମଣର ହଟ୍‌ସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଆଜି ଆଉ ୧୧ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି। ଯାହା ମଧ୍ୟରେ ନର୍ଥ ଜୋନ୍‌ର ୪ ଓ ଦକ୍ଷିଣ-ପୂର୍ବ ଜୋନ୍‌ର ୭ଟି ସ୍ଥାନ ରହିଛି। ଏସବୁ ଅଞ୍ଚଳରେ ୭ ଦିନ କଟକଣା ସହ BMC ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ୧୪ଟି କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳକୁ ବିଏମ୍‌ସି ଏରିଆରେ ଥିବା ବେଳେ ଏବେ ଏହି ସଂଖ୍ୟା ୨୫ରେ ପହଞ୍ଚିଛି। ସେପଟେ ଆଜି ରାଜଧାନୀର ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟରୁ ୩୦ ପଜିଟିଭ୍ ଚିହ୍ନଟ ପରେ ଏକ ହଷ୍ଟେଲକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରାଯାଇଛି ଓ ଅନ୍ୟ ହଷ୍ଟେଲ୍‌ ଛାତ୍ରଛାତ୍ରୀଙ୍କ RT-PCR ଟେଷ୍ଟ୍‌ ପାଇଁ ନିଷ୍ପତ୍ତି ହୋଇଛି।

ତେବେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅସ୍ତ୍ର ସାଜିଥିବା ଟିକାକରଣକୁ କିନ୍ତୁ ମିଳୁଛି ସଫଳତା। ମାତ୍ର ସପ୍ତାହେ ଭିତରେ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ୨ କୋଟିରୁ ଅଧିକ କିଶୋର ଟିକା ନେଇ ସାରିଥିବା ଟ୍ୟୁଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ। ସେହିପରି ଓଡ଼ିଶାରେ ବି ଦୃତ ଗତିରେ ଏହି ବର୍ଗଙ୍କ ଟିକାକରଣ ଜାରି ରହିଥିବାବେଳେ ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୩ କୋଟି ଛୁଇଁସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଭୁବନେଶ୍ୱର ବିମାନବନ୍ଦରରେ ବିଏମ୍‌ସି ପକ୍ଷରୁ ଆସୁଥିବା ଯାତ୍ରୀଙ୍କ RT-PCR ପରୀକ୍ଷା ପାଇଁ ସମସ୍ତ ସୁବିଧା ଦିଆଯାଇଛି ଓ ସେମାନଙ୍କ ନିକଟରେ ୭୨ ଘଣ୍ଟା ମଧ୍ୟରେ ଟେଷ୍ଟ୍‌ ରିପୋର୍ଟ ଥିଲେ ଆଉ ଟେଷ୍ଟ୍‌ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ। ତା’ସହ କରୋନା ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ଦୈନିକ ଯାତ୍ରୀ ସଂଖ୍ୟା ୪୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯେଉଁଠି ୧୨ ହଜାର ଯାତ୍ରୀ ଯାଆସ କରୁଥିଲେ, ତାହା ଏବେ ୭ ରୁ ୮ ହଜାରକୁ ଖସିଛି। ଏବେ ଭୁବନେଶ୍ୱରକୁ କୌଣସି ଆନ୍ତର୍ଜାତିକ ବିମାନ ଆସୁ ନାହିଁ।

Odisha News Bhubaneswar
Advertisment
Advertisment