Advertisment

"ଭିଡ଼ ଜମାଇଲେ, ବଢିବ କରୋନା"

ଜୀବନ ଆଗ, ପାର୍ବଣ ପଛ। ରାଜ୍ୟର ମୋଟ୍ ଦୈନିକ ସଂକ୍ରମଣରୁ ପ୍ରାୟ ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କୁ ଏଭଳି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତାସହ ବଜାର-ଘାଟରେ ଯଥାସମ୍ଭବ ଭିଡ଼ ଏଡ଼ାଇବା ସହ କୋଭିଡ୍ ନିୟମ ମାନିବାକୁ କହିଛି।

author-image
Sarbeswar
Corona

Corona

ଭୁବନେଶ୍ୱର: ଜୀବନ ଆଗ, ପାର୍ବଣ ପଛ। ରାଜ୍ୟର ମୋଟ୍ ଦୈନିକ ସଂକ୍ରମଣରୁ ପ୍ରାୟ ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେବା ପରେ ରାଜଧାନୀବାସୀଙ୍କୁ ଏଭଳି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତାସହ ବଜାର-ଘାଟରେ ଯଥାସମ୍ଭବ ଭିଡ଼ ଏଡ଼ାଇବା ସହ କୋଭିଡ୍ ନିୟମ ମାନିବାକୁ କହିଛି। ସେପଟେ ରାତି ୮ଟାରୁ ଆଜିଠୁ ଟ୍ୱିନିସିଟିରେ ଆରମ୍ଭ ହେବାକୁ ଥିବା ନାଇଟ କର୍ଫ୍ୟୁକୁ କିଭଳି କଡ଼ାକଡ଼ି ଭାବେ ପାଳନ କରାଯିବ ସେ ନେଇ କମିଶନରେଟ୍ ପୋଲିସ ବ୍ୟାପକ ପ୍ରସ୍ତୁତି କରିଥିବାବେଳେ ଅମାନିଆ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର।

Advertisment

ଥମୁନି ସଂକ୍ରମଣ ଡର। ଭୟ ବଢ଼ାଉଛି ଭୁବନେଶ୍ୱର। ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ବଢୁ କି କମୁ, ମୋଟ ସଂଖ୍ୟାରୁ କେବଳ ରାଜଧାନୀରୁ କିନ୍ତୁ ନିଇତି ଚିହ୍ନଟ ହେଉଛନ୍ତି ୪୦ ପ୍ରତିଶତ ପାଖାପାଖି ଆକ୍ରାନ୍ତ। ଯଦି ବିଏମ୍ସିର ଗତ ୪ ଦିନର ତଥ୍ୟ ହିସାବକୁ ନିଆଯାଏ, ସେଥିରୁ ସ୍ପଷ୍ଟ ଅନୁମେୟ ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତି କଣ ? ବିଏମ୍ସି ତଥ୍ୟ ଅନୁସାରେ ଅକ୍ଟୋବର ୭ ତାରିଖରେ ରାଜ୍ୟରେ ୫୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜଧାନୀରୁ ବାହାରିଥିଲେ ୨୬୭, ସେହିପରି ୮ ତାରିଖରେ ରାଜ୍ୟରେ ୫୨୪ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୨୩୩ ଓ ୯ ତାରିଖରେ ୫୨୬ ନୂଆ ରୋଗୀଙ୍କ ମଧ୍ୟରୁ ରାଜଧାନୀର ସଂଖ୍ୟା ଥିଲା ୨୧୬ ଏବଂ ୧୦ ତାରିଖରେ ରାଜ୍ୟରେ ୬୫୨ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୫୯ଜଣ ଚିହ୍ନଟ ହୋଇଥିଲେ। ତେଣୁ ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ, ଜୀବନ ଆଗ, ପାର୍ବଣ ପଛ। ସଂକ୍ରମଣର ସବୁଠୁ ବଡ଼ ବାଟ ହେଉଛି ଭିଡ଼। ସରକାର ବାରମ୍ବାର ଲୋକଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇ ଆସୁଛନ୍ତି। ହେଲେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଗାଇଡ୍ଲାଇନ୍ସ ନମାନିଲେ ସଂକ୍ରମଣ ପୁଣି ବେକାବୁ ହେବ ବୋଲି ଶଙ୍କା କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଚେତେଇ ଦେଲେଣି, ସଂକ୍ରମଣ ଶୀର୍ଷରେ ରହିଥିବା ଟ୍ୱିନସିଟିକୁ ନଜଗିଲେ ରାଜ୍ୟକୁ ପୁଣି ମାଡ଼ିଯିବ।

Advertisment

ସେପଟେ ଲୋକଙ୍କୁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ହାଟ ଓ ବଜାରରେ ଭିଡ଼ କମୁନି। ତେଣୁ ଏଭଳି ସ୍ଥିତିରେ ପାର୍ବଣ କଟକଣାକୁ କଡ଼ାକଡ଼ି ଜଗିବା ସହ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ଯାଏଁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାକୁ ସଜାଗ ହୋଇଛି କମିଶନରେଟ୍ ପୋଲିସ। ସନ୍ଧ୍ୟା ୭ଟାରୁ କଣ୍ଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ କମିଶନର। ସେହିପରି ରାତି ୮ଟା ସୁଦ୍ଧା ସମସ୍ତେ ଘରେ ପହଞ୍ଚିବା ସହ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି। ନାଇଟ କର୍ଫ୍ୟୁ ଉପରେ ନଜର ରଖିବାକୁ ଭୁବନେଶ୍ୱର ସହରରେ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବା ସହ ୨୫ଟି ପାଟ୍ରୋଲିଂ ଭେଇକିଲ୍ ବୁଲିବ। ସେହିପରି କଟକ ସହରରେ ୧୮ ପ୍ଲାଟୁନ ଫୋର୍ସ ମଧ୍ୟ ନିୟୋଜିତ ହେବେ। ବିଭିନ୍ନ ଜୋନରେ ଏସିପି ରାଙ୍କର ଅଫିସର ମୁଖ୍ୟ ତଦାରଖ ଦାୟିତ୍ୱରେ ରହିବେ। ଏଥିସହ କଟକରେ କିପରି କୋଭିଡ୍ ଗାଇଡ୍ଲାଇନ୍ସରେ ଦୁର୍ଗାପୂଜା ଓ ମେଢ଼ ପିଛା ୭ଜଣ କମିଟି ସଦସ୍ୟଙ୍କ ଦ୍ୱାରା ନିରାଡ଼ମ୍ବର ଭସାଣ ଅନୁଷ୍ଠିତ ହେବ ସେ ନେଇ ବି ସ୍ଥିତି ସମୀକ୍ଷା କରିଛନ୍ତି ସିପି।

ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ସହ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ

Corona Virus COVID19 Odisha
Advertisment
Advertisment