/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642041575.jpg)
New Guidelines
ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ କାୟା ବିସ୍ତାର କରିଥିବା ବେଳେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ, ଧାର୍ମିକ କାର୍ଯ୍ୟକ୍ରମରେ ଏକାଠି ହେବା ଉପରେ ସ୍ୱତନ୍ତ୍ର ରିଲିଫ କମିଶନର(SRC) କଟକଣା ଜାରି କରିଛନ୍ତି।
ସାମାଜିକ ଓ ଧାର୍ମିକ ଉତ୍ସବ ବେଳେ କିଛି ଜିଲ୍ଲାରେ ଲୋକେ ଆଞ୍ଚଳିକ ପର୍ବ ପାଳନ କରିବାକୁ ଥିବାରୁ ରାଜ୍ୟର କୌଣସି ନଦୀ, ପୋଖରୀ, ବେଳାଭୂମି ଓ ଅନ୍ୟ ଜଳାଶୟରେ ଏକାଠି ହୋଇ ବୁଡ଼ ପକାଇବା ଉପରେ ବାରଣ କରାଯାଇଛି। ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଏଠାରେ ଲୋକେ ଏକାଠି ହେବାକୁ ମନା କରାଯାଇଛି।
ଉତ୍ସବ ପାଳନ ଓ ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ଧାର୍ମିକ ଅନୁଷ୍ଠାନରେ କେବଳ ପୂଜକ, ସେବକ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ସର୍ବନିମ୍ନ ଲୋକେ ଉପସ୍ଥିତ ରହି ନୀତିକାନ୍ତି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ମ୍ୟୁନିସିପାଲିଟି କମିଶନରଙ୍କୁ SRC ଚିଠି ଲେଖିଛନ୍ତି।
କରୋନା କାଳରେ ମକର ସଂକ୍ରାନ୍ତି ପାଳନ ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୃଷ୍ଣପ୍ରସାଦର କାଳୀଜାଇ ପୀଠରେ ହେଉଥିବା ମକର ପର୍ବ କଟକଣା ଭିତରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ମକର ସଂକ୍ରାନ୍ତି ଅବସରରେ କାଳୀଜାଇ ପୀଠରେ ପ୍ରବଳ ଜନଗହଳି ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଛି। କେବଳ ନୀତିକାନ୍ତି ପାଇଁ ସେବାୟତମାନଙ୍କୁ ପୀଠକୁ ଯିବାକୁ ଅନୁମତି ଦିଆଯାଇଛି। ସେହିପରି ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ମହାବୀର ମନ୍ଦିରରେ ମଧ୍ୟ ଗହଳି ହୋଇଥାଏ। ତେଣୁ ଏଥର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଲାଗୁ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)