• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ମାର୍କେଟରେ ମିଳିବ କୋଭିଡ୍ ଟିକା । କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଖୋଲା ବଜାରରେ ଉପଲବ୍ଧ ହେବ । ଏନେଇ ମିଳିଛି ସର୍ତ୍ତମୂଳକ ଅନୁମତି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

ତେବେ ଏହି ଟିକା କେବଳ ପ୍ରାପ୍ତବୟସ୍କଙ୍କ ବ୍ୟବହାର ପାଇଁ ମାର୍କେଟ ଆପ୍ରୁଭାଲ ମିଳିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଟିକା ନେବା ପାଇଁ କୋ ଓ୍ୱିନ୍‌ରେ ଆପ୍‌ ଜରିଆରେ ରେଜିଷ୍ଟ୍ରେସନ କରିବା ପାଇଁ ପଡ଼ିବ । ଏହାସହ ୬ ମାସର ସେଫ୍ଟି ଡାଟା ମଧ୍ୟ ଦେବାକୁ ହେବ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ମାଗଣା କୋଭିଡ୍ ଟିକା ଦାନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ଜାନୁଆରୀ ୩ ତାରିଖରେ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡକୁ କରୋନା ଟିକା ଭାବେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । 

ଅନ୍ୟପଟେ ରାଜ୍ୟରେ କମୁଛି, କିନ୍ତୁ ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ଭାରତରେ ୨ ଲକ୍ଷ ୮୬ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୯.୫୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଦେଶରେ ପଜିଟିଭିଟି ହାର ୧୬ ପ୍ରତିଶତ ଥିଲା । ସେହିପରି ଦେଶରେ ଦିନକରେ ୫୭୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୧ ହଜାର ୭୦୦କୁ ବୃଦ୍ଧି ପାଇଛି ।

ସେହିଭଳି ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୫ ବର୍ଷ ହେଲାଣି, ସେମାନଙ୍କୁ ଟିକା ଦିଆଯାଇପାରିବ । ଏ ସଂପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ୧୫ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଏନ୍ଏଚ୍ଏମ୍‌ର ମିଶନ ନିର୍ଦ୍ଦେଶକ । ୨୦୦୫, ୨୦୦୬ ଓ ୨୦୦୭ରେ ଜନ୍ମ ହୋଇଥିବା ପିଲାଙ୍କ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ଦେଖାଯିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଚିଠି ଲେଖାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ୨୦୨୩ ଜାନୁଆରୀ ୧ ସୁଦ୍ଧା ଯାହାକୁ ୧୫ ବର୍ଷ ହେବ, ସେମାନେ କରୋନା ଟିକା ନେଇପାରିବେ ।