• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରାଇଭେଟ ଭାବେ କରୋନାର ବୁଷ୍ଟର୍ ଡୋଜ ପାଇଁ ସର୍ବାଧିକ ସର୍ଭିସ ଚାର୍ଜ ହେଲା ୧୫୦ ଟଙ୍କା । ଏହାଠାରୁ ଅଧିକ ଟଙ୍କା କୌଣସି ହସ୍ପିଟାଲ ନେଇପାରିବେ ନାହିଁ । ଆଜି ଏହା ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଟିକାର ଦାମକୁ ଛାଡ଼ି ସର୍ବାଧିକ ୧୫୦ ଟଙ୍କା ନେବେ ପ୍ରାଇଭେଟ ହସ୍ପିଟାଲ ।

ଆସନ୍ତାକାଲିଠାରୁ ପ୍ରାଇଭେଟ ହସ୍ପିଟାଲରେ କରୋନାର ବୁଷ୍ଟର୍ ଡୋଜ୍ ମିଳିବ । ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଥିଲେ, ହିତାଧିକାରୀ ବୁଷ୍ଟର୍ ଡୋଜ୍ ନେଇପାରିବେ । ପ୍ରଥମ ଓ ଦ୍ୱିତୀୟ ଡୋଜ୍ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ସୂଚନା ଦେଇଛନ୍ତି ।

ବୁଷ୍ଟର ଡୋଜ୍ ପାଇଁ କୋୱିନ୍‌ ଆପ୍‌ରେ ନୂଆ କରି ଆଉ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ । ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ମିଳିବ ବୁଷ୍ଟର ଡୋଜ୍ । କୋଭିସିଲ୍ଡ ବୁଷ୍ଟର୍ ଡୋଜ୍‌ର ଦାମ ୬ ଶହ ଟଙ୍କା ରଖାଯାଇଥିବା ବେଳେ କୋଭୋଭାକ୍ସର ଦାମ ରଖାଯାଇଛି ୯ ଶହ ଟଙ୍କା ।

ଦେଶରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ୫ଟି ରାଜ୍ୟରେ କିନ୍ତୁ ଆଖିଦୃଶିଆ ଭାବେ କମୁନି ସଂକ୍ରମଣ । ଏହି ୫ ରାଜ୍ୟ ହେଲା କେରଳ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର ଓ ମିଜୋରାମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ୫ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

କୋଭିଡ୍ ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖିବା ଏବଂ ଦରକାର ପଡିଲେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ । ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଗତ କିଛି ଦିନ ଧରି ଭାରତରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଦୈନିକ ହଜାରେରୁ କମ୍ ରହୁଛି ସଂକ୍ରମଣ । କିନ୍ତୁ କେରଳ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର ଓ ମିଜୋରାମ୍‌ରେ ଏହା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢିଛି ।