• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିନକୁ ଦିନ କରୋନା କଟକଣାକୁ କଠୋର କରାଯାଉଛି । ବର୍ତ୍ତମାନ ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି । ସମସ୍ତ କର୍ମଚାରୀ ଘରୁ ରହି କାମ କରିବେ ଅର୍ଥାତ୍ ୱର୍କ ଫ୍ରମ୍‌ ହୋମ୍‌ (WFH) କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ବେସରକାରୀ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲୁଥିବା ବେଳେ ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲୁଥିଲା ।

DDMA ପକ୍ଷରୁ କଠୋର କଟକଣା ମଧ୍ୟ ଲାଗୁ କରାଯାଇଛି । ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀର ସମସ୍ତ ରେଷ୍ଟୁରାଣ୍ଟ ଏବଂ ବାର୍ ମଧ୍ୟ ବନ୍ଦ ରହିବ । ବର୍ତ୍ତମାନ ହୋମ୍ ଡେଲିଭରି ଏବଂ ରେଷ୍ଟୁରାଣ୍ଟରୁ ଖାଦ୍ୟ ସାମଗ୍ରୀ ନେଇଯିବାର ସୁବିଧା ରହିବ । ଏବେ ସୁଦ୍ଧା ୫୦ ପ୍ରତିଶତ କ୍ଷମତା ସହିତ ରେଷ୍ଟୁରାଣ୍ଟ ଏବଂ ବାରଗୁଡିକ ଚାଲୁଥିଲା । ଅନ୍ୟପଟେ ବର୍ତ୍ତମାନ Exempted Category/Essential Services ରେ କାମ କରୁଥିବା ଲୋକ କାମ କରିପାରିବେ । ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ପାଇଁ ଏବେ ସୁଦ୍ଧା ଅନେକ କଠୋର କଟକଣା ଲଗାଯାଇଛି । ଏହି କ୍ରମରେ ରାତ୍ରି କର୍ଫ୍ୟୁ ପରେ ୱିକେଣ୍ଡ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା । କିନ୍ତୁ ୱିକେଣ୍ଡ୍ କର୍ଫ୍ୟୁ ସତ୍ତ୍ୱେ କିଛି ସୁଫଳ ମିଳିଥିବା ଦେଖିବାକୁ ମିଳିଲା ନାହିଁ ।

ସେପଟେ ଦେଶରେ ଆଜି ବି ଦେଢ଼ ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୨୧ ହଜାର ୪୪୬କୁ ବୃଦ୍ଧି ପାଇଛି । ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୪୬୧କୁ ବୃଦ୍ଧି ପାଇଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଗତକାଲି ଅର୍ଥାତ ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ୧୯୧୬୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଦିଲ୍ଲୀରେ ବର୍ତ୍ତମାନ ସଂକ୍ରମଣ ହାର ୨୫ ପ୍ରତିଶତରେ ପହଞ୍ଚିଛି । ରାଜଧାନୀରେ ପରୀକ୍ଷା କରାଯାଉଥିବା ପ୍ରତ୍ୟେକ ଚତୁର୍ଥ ବ୍ୟକ୍ତି କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି ।