• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି। କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।

ଗତକାଲି ଦେଶରେ କର୍ଣ୍ଣାଟକ, ଗୁଜରାଟ ପରେ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା ଓମିକ୍ରନ । ମୁମ୍ବାଇ କଲ୍ୟାଣ ଅଞ୍ଚଳର ୩୩ ବର୍ଷୀୟ ଯୁବକ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ଯୁବକ ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା କହିଛନ୍ତି ରାଜ୍ୟ ସରକାର । ୩ ଦିନ ତଳେ କର୍ଣ୍ଣାଟକରୁ ୨ ଓ ଗତକାଲି ଗୁଜରାଟରୁ ଜଣେ ଚିହ୍ନଟ ହୋଇଥିଲେ । ଗୁଜରାଟ ଜାମନଗରର ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଅନ୍ତର୍ଜାତୀୟ ପାସେଞ୍ଜରଙ୍କ ଉପରେ କଡ଼ା ନଜର ରଖାଯାଇଥିବା ବେଳେ ବିଦ୍ୟାଳୟ ଗୁଡିକରେ ସଂକ୍ରମଣମୁକ୍ତ ଶିକ୍ଷା ଦାନ ଲାଗି ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

୩ ଦିନ ତଳେ କର୍ଣ୍ଣାଟକରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚେନ୍‌ରେ ବ୍ରେକ ଲଗାଇବା ଲାଗି ଅନ୍ତର୍ଜାତୀୟ ପାସେଞ୍ଜରଙ୍କ ଉପରେ କଡ଼ା ନଜର ରଖାଯିବା ସହ ଜିନୋମ୍ ସିକ୍ୱେନ୍ସିଂକୁ ଗୁରୁତ୍ୱ ଦିଆଯାଉଛି । ଡିଏମ୍ଇଟିଙ୍କ ସୂଚନା ଅନୁଯାୟୀ ବିଦେଶରୁ ଓଡ଼ିଶା ଆସିଥିବା ୩୮୦ ଜଣଙ୍କ ଟେଷ୍ଟ କରାଯାଇଛି । ଯେଉଁମାନଙ୍କର ପଜିଟିଭ୍ ଆସିଛି ସେମାନଙ୍କର ସାମ୍ପୁଲ୍ ଜିନମ ସିକ୍ୱେନ୍ସିଂ ଲାଗି ପଠାଯାଇଛି । ସେଥିରୁ ସ୍ପଷ୍ଟ ହେବ ଯେ ସେମାନେ ଡେଲ୍ଟା କି ଓମିକ୍ରନ ଦ୍ୱାରା ସଂକ୍ରମିତ ।

ସେପଟେ ଟିକା ହେଉଛି ମହାମାରୀର ରାମବାଣ ଚିକିତ୍ସା । ତୃତୀୟ ଲହର ଆସିନଥିବାରୁ ବିଦେଶ ଗସ୍ତ ରେକର୍ଡ ନଥିବା ସଂକ୍ରମିତଙ୍କ ଜିନମ ସିକ୍ୱେନସିଂ କରାଯିବ ନାହିଁ ବୋଲି ସ୍ବଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଭୟଭୀତ ନହୋଇ ବିଦେଶ ଫେରନ୍ତା ହୋମ ଆଇସୋଲେସନ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି ।

ସେପଟେ ରାଜ୍ୟର ଆବାସିକ ବିଦ୍ୟାଳୟଗୁଡିକରେ ସଂକ୍ରମଣ ବ୍ୟାପୁଥିବାରୁ ସରକାର ସତର୍କତା ମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତି କଡାକଡି କରିଛନ୍ତି । ଓମିକ୍ରନ ମୁକାବିଲା ପାଇଁ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ମନିଟରିଂ କରୁଛନ୍ତି । ସ୍କୁଲ୍ ଗୁଡିକରେ କିପରି ହେଲ୍ଥ ସ୍କ୍ୱାଡ ରେଗୁଲାର ନିରୀକ୍ଷଣ କରିବ ସେଥିଲାଗି ସ୍ୱାସ୍ଥ୍ୟ ବିଭାଗର ସହଯୋଗ ଲୋଡିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କରୋନା ଏସ୍ଓପି ପାଳନକୁ ଅଧିକ କଡ଼ାକଡି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।