• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟମାଟୋ ଦରଠୁ ବି କମ୍‌ ଜୋମାଟୋ ସେୟାର ପ୍ରାଇସ୍‌ । ଏମିତି କିଛି ଏବେ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଛି । ଜୋମାଟୋର ସେୟାରକୁ ଏହି କ୍ଷେତ୍ରରେ ଟମାଟୋ ଦର ସହ ତୁଳନା କରି ଯେତିକି ଟ୍ରୋଲ କରାଯାଉଛି ସେତିକି ସମବେଦନା ମଧ୍ୟ ରହିଛି । କାରଣ ହଠାତ୍‌ ଜୋମାଟୋର ସେୟାର ମୂଲ୍ୟ ହ୍ରାସ ପାଇଛି । ଯାହାକି ହ୍ରାସ ପାଇବାରେ ଏକ ରେକର୍ଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । 

ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋର ସେୟାର କ୍ରମାଗତ ଭାବରେ ହ୍ରାସ ପାଉଛି । ଏମିତିକି ମଙ୍ଗଳବାର ଜୋମାଟୋ ଷ୍ଟକ୍ ତଳକୁ ଖସିବାରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । କମ୍ପାନୀର ସେୟାର ମୂଲ୍ୟ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ଜୋମାଟୋର ସେୟାର BSE ରେ ୫୧.୨୩୦ ଟଙ୍କାରେ ପହଞ୍ଚିଛି, ଯାହାକି ସବୁଠୁ କମ୍‌ ସେୟାର ମୂଲ୍ୟ । ଦିନର କାରବାର ବେଳେ କମ୍ପାନୀର ସେୟାର ୧୦%କୁ ଖସି ଆସିଥିଲା । ପରେ ମାର୍କେଟ୍‌ ବନ୍ଦ ହେବା ବେଳକୁ ୧.୧୫ ଟଙ୍କା ବୃଦ୍ଧି ପାଇ ୫୨.୪୫ ଟଙ୍କାରେ ପହଞ୍ଚିଥିଲା । ମୋଟ ଉପରେ ଦେଖିବାକୁ ଗଲେ ଜୋମାଟୋର ସେୟାର ୭.୫୮% ହ୍ରାସ ପାଇଛି ।

ଜୋମାଟୋର ସେୟାର ନିଜ ମୂଳ ମୂଲ୍ୟଠାରୁ ପ୍ରାୟ ୫୬% ହ୍ରାସ ପାଇଛି । ଦିନେ ଏହାର ଷ୍ଟକ୍ ୧୬୯.୧୦ ଟଙ୍କା ଥିଲା । ଆଉ ଏବେ ୭୦% ହ୍ରାସ ପାଇଛି । ୧୬ ନଭେମ୍ବର ୨୦୨୧ରେ ଜୋମାଟୋ ସେୟାରର ସର୍ବାଧିକ ମୂଲ୍ୟ ୧୬୯.୧୦ ଟଙ୍କା ଥିଲା । ଯାହାକି ରେକର୍ଡ ସୃଷ୍ଟି କରିଥିଲା । ସେତେବେଳେ କମ୍ପାନୀର ମାର୍କେଟ କ୍ୟାପ୍ ୧.୩୩ ଲକ୍ଷ କୋଟିରେ ପଞ୍ଚିଥିଲା ।

ଗତ ବର୍ଷ କମ୍ପାନୀର ସେୟାର ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି କରିଥିଲା । ଆଉ ସେହି ଏଣ୍ଟ୍ରି ଜବରଦସ୍ତ ଥିଲା । କମ୍ପାନୀର ଇସ୍ୟୁ ପ୍ରାଇସ୍‌ଠାରୁ ପ୍ରାୟ ୫୩% ପ୍ରିମିୟମରେ ତାଲିକାଭୁକ୍ତ ହୋଇଥିଲା । ଜୋମାଟୋର ସେୟାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ରେ ୫୧.୩୨% ପ୍ରିମିୟମ ସହିତ ୧୧୫ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା । ଏଥିସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ ୫୨.୬୩% ପ୍ରିମିୟମ ସହିତ ୧୧୬ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା । ଜୋମାଟୋର ଆଇପିଓ ମୂଲ୍ୟ ୭୨ ରୁ ୭୬ ଟଙ୍କା ସ୍ଥିର କରାଯାଇଥିଲା ।

ଲିଷ୍ଟିଂ ପରେ ଏହାର ମାର୍କେଟ କ୍ୟାପ୍ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିଲା । ଆଉ ସେତେବେଳେ କମ୍ପାନୀ ଆଇପିଓ ମାର୍କେଟ୍‌ରେ ନୂଆ ରେକର୍ଡ କରିଥିଲା । କିନ୍ତୁ ଏବେ ଜୋମାଟୋର ମାର୍କେଟ୍‌ କ୍ୟାପ୍ ମାତ୍ର ୪୧,୨୮୮.୨୯ କୋଟି ଟଙ୍କାକୁ ଖସି ଆସିଛି । ଅର୍ଥାତ ବର୍ତ୍ତମାନ ପର୍ଯ୍ୟନ୍ତ ଜୋମାଟୋର ମାର୍କେଟ୍‌ କ୍ୟାପ୍ ପ୍ରାୟ ୯୨,୦୦୦ କୋଟି ଟଙ୍କା ହ୍ରାସ ପାଇଛି ।