• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଉ ଦିନ କେଇଟା ପରେ ସରିଯିବ ୨୦୨୩ । ନୂଆ ଆଶା ନେଇ ଆସିବ ୨୦୨୪। ବର୍ଷ ୨୦୨୪ର ସୂର୍ଯୋଦୟ ଅର୍ଥନୀତି ପାଇଁ ଆଣିବ ନୂଆ ଆଶା। ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍‌ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।

ରେକର୍ଡ ଦର ଛୁଇଁଲା ସୁନା

୨୦୨୩ରେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି । ବିଭିନ୍ନ ପ୍ରକାର କାରଣ ପାଇଁ ସୁନାରେ ନିବେଶକୁ ସୁରକ୍ଷିତ ଭାବିଛନ୍ତି ଭାରତୀୟ । ଏହା ସହ ବିବାହ ଋତୁ ମଧ୍ୟ ସୁନାର ଚମକକୁ ଆହୁରି ବଢ଼ାଇ ଦେଇଛି । ଯାହାଫଳରେ ୨୦୨୩ରେ ୬୪ ହଜାରରେ ପହଞ୍ଚିଛି ସୁନା ଦର । ତେବେ ଆଗାମୀ ଦିନରେ ସୁନା ଦର ଆହୁରି ବୃଦ୍ଧି ପାଇଁ ୬୭ ହଜାରରେ ପହଞ୍ଚିପାରେ ଅନୁମାନ କରାଯାଉଛି ।

ଭାରତକୁ ମିଳିଲା ଲିଥିୟମ୍‌ ଭଣ୍ଡାର

ଲିଥିୟମ୍ କ୍ଷେତ୍ରରେ ୨୦୨୩ରେ ଭାରତକୁ ମିଳିଛି ବଡ଼ ସଫଳତା । ପୂର୍ବରୁ ଲିଥିୟମ୍ ପାଇଁ ଚୀନ୍ ଓ ଅଷ୍ଟ୍ରେଲିଆ ଉପରେ ନିର୍ଭର କରୁଥିଲା ଭାରତ । କିନ୍ତୁ ୨୦୨୩ରେ ଦେଶକୁ ମିଳିଛି ବିରାଟ ଲିଥିୟମ୍ ଭଣ୍ଡାର । ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ଲିଥିୟମ୍ ଖଣିର ସନ୍ଧାନ ମିଳିଛି । ରାଜସ୍ଥାନରେ ମିଳିଥିବା ଭଣ୍ଡାରରେ ଯେତିକି ଲିଥିୟମ ଅଛି ସେଥିରେ ଦେଶର ୮୦ ପ୍ରତିଶତ ଚାହିଦା ପୂରଣ ହୋଇପାରିବ ବୋଲି ଅନୁମାନ କରଯାଉଛି ।

ଦୋହଲିଲା ଆଦାନୀ ସାମ୍ରାଜ୍ୟ

୨୦୨୩ରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ଆଦାନୀ ଓ ହିଣ୍ଡେନବର୍ଗ ବିବାଦ । ହିଣ୍ଡେନବର୍ଗର ଏକ ରିପୋର୍ଟ ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିଲା । ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନି ଗ୍ରୁପ୍ ବିରୋଧରେ ମନିଲଣ୍ଡରିଂଠୁ ଆରମ୍ଭ କରି ସେୟାର ମାକେର୍ଟରେ ହେରଫେର ଅଭିଯୋଗ ଆଣିଥିଲା । ଏହି ରିପୋର୍ଟ ସାର୍ବଜନୀନ ହେବା ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ କ୍ଷୀପ୍ର ଗତିରେ ହ୍ରାସ ପାଇଥିଲା । ଯାହାଫଳରେ ବିଶ୍ୱ ଧନୀ ତାଲିକାରେ ଟପ୍-୩ରୁ ଖସି ଶ୍ରେଷ୍ଠ ୨୫ ତଳକୁ ମଧ୍ୟ ଖସିଯାଇଥିଲେ ଗୌତମ ଆଦାନୀ ।

ପରଲୋକରେ ବିଶିଷ୍ଟ ଶିଳ୍ପପତି

ବର୍ଷ ୨୦୨୩ରେ ଭାରତ ଅନେକ ବିଶିଷ୍ଠ ଉଦ୍ୟୋଗପତିଙ୍କୁ ହରାଇଛି । ଚଳିତ ବର୍ଷ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଶିଳ୍ପପତିମାନଙ୍କ ମଧ୍ୟରେ ଅଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେବାନିବୃତ ଅଧ୍ୟକ୍ଷ କେଶୁବ ମହିନ୍ଦ୍ରା, ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଏସ୍.ପି.ହିନ୍ଦୁଜା, ସାହାରା ଗ୍ରୁପ୍ ଅଧ୍ୟକ୍ଷ ସୁବ୍ରତ ରାୟ, ଓବରାୟ ଗ୍ରୁପର ସେବା ନିବୃତ ଅଧ୍ୟକ୍ଷ ରାଜ ସିଂହ ଓବରାୟ ।

ବିଶ୍ୱ ବ୍ୟାଙ୍କ୍‌ ମୁଖ୍ୟ ଭାରତୀୟ

୨୦୨୩ରେ ଅନେକ ଭାରତୀୟ ବଂଶୋଦ୍ଭବ ବିଦେଶରେ ଭାରତକୁ ଗର୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜୟ ବାଙ୍ଗା । ସେ ବିଶ୍ୱ ବ୍ୟାଙ୍କର ମଙ୍ଗ ଧରିଛନ୍ତି । ଗତ ଫେବ୍ରୁଆରୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆମେରିକାର ପ୍ରାର୍ଥୀ ଭାବେ ବାଙ୍ଗାଙ୍କ ନାଁ ପ୍ରଦାନ କରିଥିଲେ । ଏହି ପଦରେ ବସିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଆମେରିକୀୟ ।

ଅଚଳ ହେଲା ୨ ହଜାର ଟଙ୍କିଆ ନୋଟ୍

୨୦୧୬ ନୋଟ୍‌ ବନ୍ଦୀ ବେଳେ ବଜାରକୁ ଆସିଥିଲା ୨ ହଜାର ଟଙ୍କିଆ ନୋଟ୍। ନୋଟ୍‌ବନ୍ଦୀ ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କା ବଦଳରେ ବଜାରକୁ ଆସିଥିଲା ୨ ହଜାର ଟଙ୍କିଆ ନୋଟ୍। ତେବେ ୨୦୧୬ରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟ୍‌କୁ ୨୦୨୩ରେ ଅଚଳ କରିଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ପ୍ରଥମେ ବିଭିନ୍ନ ବ୍ୟାଙ୍କଗୁଡ଼ିକରେ ଏହାର ବଦଳ ଏବଂ ଜମା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଡେଡ୍‌ଲାଇନ୍‌ ଶେଷ ହେବା ପରେ ଆର୍‌ବିଆଇ ନୋଟ୍ ବଦଳ ପ୍ରକ୍ରିୟା ଜାରି ରହିଛି।

ଉଠିଲା ସେୟାର ମାର୍କେଟ

ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବର୍ଷ ୨୦୨୩ରେ ରକେଟ୍‌ ବେଗରେ ବଢ଼ିଛି ଭାରତୀୟ ଇକ୍ୱିଟି ବଜାର। ମାର୍ଚ୍ଚ ଶେଷ ଭାଗରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (BSE) ସେନ୍‌ସେକ୍ସ ୫୭ ହଜାର ୫୨୭ ଥିବାବେଳେ ବର୍ଷ ଶେଷରେ ଏହା ୭୧ ହଜାର ପଏଣ୍ଟ ପାର୍‌ କରିଛି। ସେହିପରି ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ (NSE) ନିଫ୍‌ଟି ୨୧ ହଜାର ପାର୍‌ କରିଛି। ସ୍ଥିର ସରକାର ସହ ଅନ୍ୟକିଛି ସକରାତ୍ମକ ଦିଗ ପାଇଁ ଏବେ କିଛି ଦିନ ବଜାରରେ ବୃଦ୍ଧି ଜାରି ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ଗୋ ଫାଷ୍ଟ ଦେବାଳିଆ

୨୦୨୩ରେ ଆଉ ଏକ ବିମାନ କମ୍ପାନୀ ଦେବାଳିଆ ହୋଇଛି। ଭୟଙ୍କର ନଗଦ ସଙ୍କଟ ମଧ୍ୟରେ ବିମାନ ଉଡ଼ାଣ ଭରିବା ମୁସ୍କିଲ ହେବା ଫଳରେ କମ୍ପାନୀ ବିମାନ ସେବା ବନ୍ଦ କରିଥିଲା। ଏହା ସହ ସଂସ୍ଥାକୁ ଦେବାଳିଆ ଘୋଷଣା କରିବା ଲାଗି ଗୋ ଫାଷ୍ଟ୍‌ ନିଜ ଆଡୁ ଜାତୀୟ କମ୍ପାନୀ ଲ’ ଟ୍ରିବୁନାଲରେ ଆବେଦନ କରିଥିଲା।

ଭାରତରେ ତିଆରି ହେବ ଆଇଫୋନ୍‌

ଫୋନ୍‌ ତିଆରି କ୍ଷେତ୍ରରେ ବିଦାୟୀ ବର୍ଷରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି। ଏଥର ଆଉ ବିଦେଶରେ ନୁହେଁ ବରଂ ଭାରତରେ ତିଆରି ହେବ ଆଇଫୋନ୍‌। ଆଉ ଏହାକୁ ତିଆରି କରିବ ଟାଟା ଗ୍ରୁପ୍‌ । ଏହା ସହ ଭାରତରୁ ସାରା ବିଶ୍ୱକୁ ଆଇଫୋନ୍‌ ରପ୍ତାନୀ କରିବ ଟାଟାଗ୍ରୁପ୍‌ । ଏନେଇ ବର୍ଷ ୨୦୨୩ରେ ସୂଚନା ଦେଇଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେକ୍ନୋଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ସେ ଆହୁରି କହିଛନ୍ତି ଦୁଇରୁ ଅଢ଼େଇ ବର୍ଷ ମଧ୍ୟରେ ଏହି ଆଇଫୋନ୍‌ ବଜାରରେ ଉପଲବ୍ଧ ହେବ । ପୂର୍ବରୁ ବଜାରରେ ଉପଲବ୍ଧ ଆଇଫୋନ୍‌ ଗୁଡ଼ିକ ଚାଇନାରେ ତିଆରି ହେଉଥିଲା । କିନ୍ତୁ ଆଗକୁ ଭାରତରେ ଏହା ତିଆରି ହେବ ।

୨୦୨୪ରେ ଭାରତ ଆସିବ ଟେସ୍‌ଲା !

ଟେସ୍‌ଲା କାରକୁ ନେଇ ୨୦୨୩ରେ ସାମ୍ନାକୁ ଆସିଛି ସବୁଠୁ ବଡ଼ ଖବର। ୨୦୨୪ରେ ଭାରତରେ ପ୍ରବେଶ କରିପାରେ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନି ଟେସ୍‌ଲା । ଭାରତ ସହ ଟେସ୍‌ଲାର ଉତ୍ପାଦନ କାରଖାନା ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ଏହି ଚୁକ୍ତି ପରେ ଟେସ୍‌ଲା ଆସନ୍ତା ବର୍ଷଠାରୁ ଭାରତରେ ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବାକୁ ସକ୍ଷମ ହେବ। ୨୦୨୪ ଜାନୁଆରୀରେ ହେବାକୁ ଥିବା ‘ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟ୍’ରେ ଏହା ଘୋଷଣା କରାଯାଇପାରେ ବୋଲି ବିଦାୟୀ ବର୍ଷରେ ସୂଚନା ମିଳିଛି।