କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଆଗତ କରିବେ କେନ୍ଦ୍ର ବଜେଟ। ସାଧାରଣ ବଜେଟରେ ଏଥର କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ, ତା’ଉପରେ ରହିଛି ସାରା ଦେଶର ନଜର। ଏଥିସହ ଅର୍ଥ ମନ୍ତ୍ରୀ ଭାବେ ଲଗାତର ୮ ଥର ବଜେଟ ଉପସ୍ଥାପନ କରି ସେ ଇତିହାସ ରଚିବାକୁ ଯାଉଛନ୍ତି।
ବଜେଟ ଆଗତ କରିବା ପରମ୍ପରା ସ୍ୱାଧୀନତା ପୂର୍ବର। ଏହା ଦଶନ୍ଧି ଧରି ଚାଲି ଆସିଥିବା ବେଳେ ଆଜି ବି ଏହି ପରମ୍ପରା ବଳବତ୍ତର ରହିଛି। ସମୟ ବଦଳିବା ସହ ବଜେଟ ପେପର ରଖାଯାଉଥିବା ବ୍ରିଫକେଶ୍ର ରଙ୍ଗରୂପ ମଧ୍ୟ ବଦଳିବାରେ ଲାଗିଛି। ଭିନ୍ନ ଭିନ୍ନ ଅର୍ଥମନ୍ତ୍ରୀଙ୍କ ସମୟରେ ଦେଖିବାକୁ ମିଳୁଛି ଭିନ୍ନ ଭିନ୍ନ ବ୍ରିଫକେଶ୍।
ପୂର୍ବରୁ ବଜେଟ ଦସ୍ତାବିଜ ଆକାରରେ ଆସୁଥିବା ବେଳେ ଏବେ ତାହା ପେପରଲେସ୍ ହୋଇ ଆସିଲାଣି। ମାତ୍ର ବଜେଟ ଆଗତ ସମୟରେ ଅର୍ଥ ମନ୍ତ୍ରୀ ବ୍ରିଫକେଶ୍ ଧରିବା ପରମ୍ପରା ଆଜି ବି ବଳବତ୍ତର ରହିଛି।
Also Read
ବଜେଟ ଇଂଲିଶ ଶବ୍ଦ Budgetରୁ ଆସିଛି। ଏହି ଶବ୍ଦର ଅର୍ଥ ସରକାରଙ୍କ ଅର୍ଥ ବ୍ୟବସ୍ଥାକୁ ବୁଝାଇଥାଏ। ଏହା ମୂଳ ରୂପେ ଫ୍ରେଞ୍ଚ ଶବ୍ଦ Bougetteରୁ ଆସିଛି ଯାହାର ଅର୍ଥ ଚମଡ଼ା ବ୍ରିଫକେଶ।
ଭାରତରେ ବଜେଟ ସମୟରେ ବ୍ରିଫକେଶ ନେବା ପରମ୍ପରା ବ୍ରିଟେନରୁ ଆସିଛି। ୧୮୬୦ ମସିହାରେ ୱିଲିୟମ ଇ ଗୋଲ୍ଡଷ୍ଟୋନ ପ୍ରଥମ ଥର ବ୍ରିଟେନ ବଜେଟ ଆଗତ କରିବା ସମୟରେ ବ୍ରିଫକେଶ୍ର ବ୍ୟବହାର କରିଥିଲେ। ଯାହା କି ପରେ ‘ଗୋଲ୍ଡଷ୍ଟୋନ ବକ୍ସ’ ରୂପେ ପରିଚିତ ହୋଇଥିଲା।
ଭାରତରେ ବି ଏହି ପରମ୍ପରା ପାଳନ ହେବାରେ ଲାଗିଛି। ମାତ୍ର ଭାରତରେ ଭିନ୍ନ ଭିନ୍ନ ଅର୍ଥ ମନ୍ତ୍ରୀ ଭିନ୍ନ ଭିନ୍ନ ରଙ୍ଗର ବ୍ରିଫକେଶ ବା ବ୍ୟାଗ ଧରି ସଂସଦରେ ଏଣ୍ଟ୍ରି କରୁଛନ୍ତି।
ଭାରତର ପ୍ରଥମ ଅର୍ଥ ମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟି ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ଭାରତର ପ୍ରଥମ ବଜେଟ ଆଣିଥିଲେ। ଉକ୍ତ ସମୟରେ ସେ ଲାଲ ରଙ୍ଗର ଚମଡ଼ାର ବ୍ରିଫକେଶ ବ୍ୟବହାର କରିଥିଲେ। ୧୯୫୮ ମସିହାରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଲାଲ ରଙ୍ଗ ପରିବର୍ତ୍ତେ କଳା ରଙ୍ଗର ବ୍ରିଫକେଶ୍ ନେଇ ସଂସଦରେ ପ୍ରବେଶ କରିଥିଲେ ଓ ବଜେଟ ଆଗତ କରିଥିଲେ।
ସେବେଠୁ ବ୍ରିଫକେଶର ରଙ୍ଗ , ଡିଜାଇନ୍କୁ ନେଇ ଚାଲିଛି ଏକ୍ସପେରିମେଣ୍ଟା। ୨୦୧୯ ମସିହାରେ ନିର୍ମଳା ସୀତାରମଣ ବଜେଟ ବ୍ରିଫକେଶ ପରମ୍ପରାକୁ ଭାଙ୍ଗିଥିଲେ। ଏହା ପରିବର୍ତ୍ତେ ସେ ଦସ୍ତାବିଜର ବିକଳ୍ପ ଭାବେ ଟାବଲେଟ ଧରି ସଂସଦକୁ ଯାଇଥିଲେ ଓ ବଜେଟ ଆଗତ କରିଥିଲେ। ସେବେଠୁ ଆରମ୍ଭ ହୋଇଛି ପେପରଲେସ୍ ବଜେଟ ଯୁଗ ।